ନୟାଗଡ଼: ବର୍ତ୍ତମାନର ଅତ୍ୟାଧୁନିକ ଯୁଗରେ ଦୈନନ୍ଦିର ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି ମୋବାଇଲ । ମୋବାଇଲ ଓ ଇଣ୍ଟରନେଟ୍ ବିନା ଜୀବନ କଳ୍ପନା କରିବା ବି ମୁସ୍କିଲ ଲାଗୁଛି । କିନ୍ତୁ ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ମଧ୍ୟ ନୟାଗଡ ଜିଲ୍ଲାର ଗଣିଆ ବ୍ଲକ ଛାମୁଣ୍ଡିଆ ଅଞ୍ଚଳର କେତେକ ଗ୍ରାମରେ ମୋବାଇଲ ସେବା ଅପହଞ୍ଚ ରହିଛି l ଫଳରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନେ ବହୁ ସମୟରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l
ଛାମୁଣ୍ଡିଆ ପଞ୍ଚାୟତର ଛାଡମୂଳ, ମହୁକଣ, ଉପର ମହୁକଣ, ବୁଟୁବୁରେଇ, ଭଗାମୁଣ୍ଡା, କୁମ୍ଭୀରଖଣି, ଧୋବାବୋରେଇ, ରାଜିଙ୍ଗି, ମହନାପଦା, ଯଶିପୁର, ବଡମୂଳ, ମାଳିସାହି ଆଦି ଗ୍ରାମବାସୀଙ୍କ ପାଇଁ ଏହିଭଳି ସମସ୍ୟା ଉପୁଜିଥିବାରୁ ଏହାର ସମାଧାନ ପାଇଁ ବିଭିନ୍ନ ସମୟରେ ଦାବି ହୋଇଆସୁଛି l ଏହାକୁ ଦୃଷ୍ଟିରେ ରଖି ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳର ସଭାପତି ରମେଶ ଚନ୍ଦ୍ର ବେହେରା ୧୦ଗୋଟି ଗ୍ରାମର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଗାଁ ଗାଁ ବୁଲି ଲୋକଙ୍କ ସହିତ ଆଲୋଚନା କରିଛନ୍ତି l
ବିଧାୟକଙ୍କୁ ପ୍ରଥମେ ଡ଼ଙ୍କାରିସାହି ଠାରେ ବିଜୁ ଜନତା ଦଳର କର୍ମକର୍ତ୍ତା ଓ ଗ୍ରାମବାସୀଙ୍କ ପକ୍ଷରୁ ଫୁଲତୋଡା ଦେଇ ଭବ୍ୟ ସ୍ବାଗତ କରାଯାଇଥିଲା । ଏହି ଗସ୍ତ ସମୟରେ ବ୍ଲକ ଉପାଧ୍ୟକ୍ଷ ରାଜକିଶୋର ସାହୁ, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, କନ୍ଧମାଳ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ସଦାଶିବ ମିଶ୍ର, ଜିଓ କମ୍ପାନୀର ନେଟୱର୍କ ମ୍ୟାନେଜର ଆଶୁତୋଷ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।
ବିଧାୟକ ବିଭିନ୍ନ ଗ୍ରାମକୁ ନିଜେ ବୁଲି ବୁଲି ଲୋକଙ୍କ ସହିତ ଆଲୋଚନା କରିଥିଲେ l ଖୁବ କମ୍ ଦିନ ଭିତରେ ଜିଓ ଟାୱାର କାର୍ଯ୍ୟ ଆରମ୍ଭ ହେବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି l ଏହି କାଯ୍ୟକ୍ରମରେ ଛାମୁଣ୍ଡିଆ ପଞ୍ଚାୟତର ବହୁ ଛାମୁଆ କର୍ମୀ ଓ ଗ୍ରାମବାସୀ ସହଯୋଗ କରିଥିଲେ l ନେଟୱାର୍କ ସ୍ଥାପନ ନେଇ ଖବର ପାଇବା ପରେ ସ୍ଥାନୀୟ ଲୋକେ ଖୁସି ପ୍ରକଟ କରିଛନ୍ତି l