ନୟାଗଡ: ତହସିଲଦାରଙ୍କୁ ଆକ୍ରମଣ ଘଟଣାରେ 2 ଗିରଫଦାରୀକୁ ବିରୋଧ କରି ଧାରଣା । କିଛି ଦିନ ପୂର୍ବେ ଟାଙ୍ଗୀ ତହସିଲଦାରଙ୍କୁ ଆକ୍ରମଣ ହୋଇଥିଲା । ଏଥିରେ ସମ୍ପୃକ୍ତି ଅଭିଯୋଗରେ 2 ବିଜେପି କର୍ମୀଙ୍କୁ ନୟାଗଡ଼ ଜିଲ୍ଲା ଚାନ୍ଦପୁର ପୋଲିସ ଗିରଫ କରିଛି । ମାତ୍ର ଗିରଫ 2 ଜଣଙ୍କୁ ନିର୍ଦ୍ଦୋଷ ବୋଲି ଅଭିଯୋଗ କରି ଶତାଧିକ ପୁରୁଷ ଓ ମହିଳା ବିଜେପି କର୍ମୀ ଚାନ୍ଦପୁର ଥାନା ସମ୍ମୁଖରେ ଧାରଣା ଦେଇଥିଲେ ।
ଏହା ବିରୋଧକାରୀ ଚାନ୍ଦପୁର ଆଇଆଇସି ରଶ୍ମି ରଞ୍ଜନ ଦାଶଙ୍କ ବଦଳି ଦାବି କରିଥିଲେ । ଏଥିରେ ରଣପୁର ବିଜେପିର ବିଧାୟିକା ପ୍ରାର୍ଥୀ ସୁରମା ପାଢ଼ୀ ସାମିଲ ହୋଇ ଆଇଆଇସିଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରିଥିଲେ । ବିଜେପି ଦଳର କର୍ମୀମାନଙ୍କୁ ଜାଣିଶୁଣି ମିଥ୍ୟା ମାମଲା କରି ହଇରାଣ କରୁଥିବା ଅଭିଯୋଗ କରି ଧାରଣାରେ ବସିବା ସହ ଥାନା ଭିତରେ ପଶି ହରିବୋଲ ହୁଳହୁଳି ଦେବାସହ ଥାନା ଅଧିକାରୀଙ୍କ ବଦଳି ଦାବି କରିଥିଲେ।
ଏହାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଥିଲା । ପରେ ଶରଣକୁଳ ଏସଡିପିଓ ଏବଂ ରଣପୁର ତହସିଲଦାର ଥାନା ପରିସରରେ ବସି ଲୋକଙ୍କୁ ବୁଝାସୁଝା କରିଥିଲେ । ଅନ୍ୟପକ୍ଷେ କାହାରିକୁ ହଇରାଣ କରାଯିବ ନାହିଁ ବୋଲି ଏସଡିପି ଓ ପ୍ରତିଶୃତି ଦେବା ପରେ ସୁରମା ପାଢ଼ୀ ଧାରଣାରେ ବସିଥିବା ସମସ୍ତ ମହିଳା ଓ ପୁରୁଷ କର୍ମୀ ମାନଙ୍କୁ ବୁଝାସୁଝା କରି ଧାରଣା ସ୍ଥଳରୁ ଉଠାଇଥିଲେ ।
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ