ନୟାଗଡ଼: ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତକୁ ଜିଲ୍ଲାର ପୋକ୍ସୋ କୋର୍ଟରେ ସୋମବାର ହାଜର କରାଯାଇଛି l ଅଭିଯୁକ୍ତ ଜଣକ ନାବାଳକ ହୋଇଥିବା ବେଳେ ଯଦୁପୁର ଗ୍ରାମର ବୋଲି ଜଣାପଡ଼ିଛି । କିନ୍ତୁ ଅଭିଯୁକ୍ତର ସ୍ପଷ୍ଟ ପରିଚୟ ଏଯାବତ୍ ମିଳିନାହିଁ ।
ରବିବାର SIT ଖୁବଶୀଘ୍ର ପରୀର ହତ୍ୟାକାରୀକୁ ଗିରଫ କରିବା ପାଇଁ ଚର୍ଚ୍ଚା ଜୋର ଧରିଥିବା ବେଳେ ସନ୍ଧ୍ୟା ସମୟରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ଶନିବାର ଏସଆଇଟି ଟିମ ଜଣକୁ ଉଠାଇ ନେଇ 2 ଦିନ ହେଲା ନିଜ ହେପାଜତରେ ରଖିଥିଲା । ତାକୁ ମାରାଥନ ଜେରା ଚାଲିଛି l ଶନିବାର ସକାଳୁ ନୟାଗଡ ଯଦୁପୁରରୁ ଉକ୍ତ ବ୍ୟକ୍ତି ଓ ତାଙ୍କ ମା' ଭଉଣୀଙ୍କୁ ଏସଆଇଟି ଉଠାଇ ନେଇଥିଲା । ସେମାନଙ୍କୁ ନୟାଗଡ ସର୍କିଟ ହାଉସରୁ ଭୁବନେଶ୍ବର ନେଇଥିଲା SIT । ତେବେ ଶନିବାର ବିଳମ୍ବିତ ରାତିରେ ତା ମା' ଓ ଭଉଣୀଙ୍କୁ ଛାଡ଼ିଥିବା ବେଳେ ତାକୁ ଅଟକ ରଖିଛି ପୋଲିସ । ଗିରଫ ହୋଇଥିବା ବ୍ଯକ୍ତି ସେ କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ ।
ତେବେ ଗଣମାଧ୍ୟମକୁ ପ୍ରତିକ୍ରିୟାରେ ଅରୁଣ ବୋଥ୍ରା କହିଛନ୍ତି,"ଯେଉଁ ଅଭିଯୁକ୍ତକୁ ଗିରଫ କରାଯାଇଛି ତା ବିରୋଧରେ ବଳିଷ୍ଠ ପ୍ରମାଣ ରହିଛି। ସେ ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁ୍କ୍ତ। ଗତ 10 ଦିନ ହେଲା ଜିଲ୍ଲା ପୋଲିସ ଓ ଏସଆଇଟି ପକ୍ଷରୁ ଅଭିଯୁକ୍ତକୁ ପଚରାଉଚରା କରାଯାଉଥିଲା । ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ମିଳିବା ପର ହିଁ ତାଙ୍କୁ ଗିରଫ କରାଯାଇଛି । ଏଥିରେ କିଏ ସମ୍ପୃକ୍ତ ରହିଛନ୍ତି ବା କେଉଁମାନେ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଛନ୍ତି ସେ ନେଇ ତଦନ୍ତ ଜାରି ରହିଛି । ତେବେ ସାମ୍ବାଦିକ ସମ୍ମିଳନୀ କରାଯାଇ ଅଭିଯୁକ୍ତ ସମ୍ପର୍କରେ ସୂଚନା ଦିଆଯିବ ବୋଲି SIT ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ