ଭୋପାଳ: କୁହାଯାଏ ଅନୁକମ୍ପାଧାରୀ ହରି । କରୁଣାର ଭଣ୍ଡାର, ଦୟାର ଦରିଆ । ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଇ ହଜିଯାଇଥିବା ଜଣେ ବୃଦ୍ଧ କିଭଳି ବର୍ଷକ ପରେ ଘରକୁ ଫେରିଛନ୍ତି ଏ ହେଉଛି ତାହାର କାହାଣୀ । ହରିଙ୍କୁ ଦର୍ଶନ କରି ହଜିଯାଇଥିଲେ । ଏବେ ସେହି ହରିଙ୍କ ସହାନୂଭୁତି ହେଉ ଅବା ଦାଦାଜୀ ଆଶ୍ରମର ସହାୟତା, ବର୍ଷକ ପରେ ଘର ବାହୁଡିଛନ୍ତି କୁବେର ।
ଆଜକୁ ଠିକ୍ ବର୍ଷକ ତଳେ ଜଗନ୍ନାଥ ଦର୍ଶନ କରିବା ପାଇଁ ଘରୁ ବାହାରି ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ନୟାଗଡ ନିବାସୀ କୁବେର ନାୟକ(70) । ହେଲେ କିଛି ଦିନ ପରେ ଫେରି ନଥିଲେ ଘରକୁ । ପରିଜନ ଘର ଲୋକେ ଲାଗି ପଡିଥିଲେ ଖୋଜାଖୋଜିରେ । ହେଲେ ମିଳି ନଥିଲା କୁବେରଙ୍କ ଖୋଜ ଖବର । କାନ୍ଦବୋବାଳି ସହ ଦୁଃଖ ମାଡି ଆସିଥିଲା ପରିବାରକୁ ବୃଦ୍ଧ ବାପାଙ୍କ ନିଖୋଜ ପରେ । ହେଲେ ବିଧିର ବିଧାନ ଥିଲା ଭିନ୍ନ । ଇଟିଭି ଭାରତର ପ୍ରୟାସ, ପ୍ରଚେଷ୍ଟା ଓ ମଧ୍ୟପ୍ରଦେଶସ୍ଥିତ ଦାଦାଜୀ ବୃଦ୍ଧା ଆଶ୍ରମର ମହନୀୟତା ଫଳରେ ଓଡିଶା ଫେରିଛନ୍ତି କୁବେର ।
2018 ପୁରୀ ଅଭିମୁଖେ ବାହାରିଥିଲେ ନୟାଗଡ ନିବାସୀ କୁବେର ନାୟକ । ହେଲେ ଭୁଲ ବଶତଃ ଅନ୍ୟ ଏକ ଟ୍ରେନରେ ବସି ଯାଇଥିଲେ । ଯାହା ତାଙ୍କୁ ନେଇ ମଧ୍ୟପ୍ରଦେଶର ଖଣ୍ଡୱାରେ ପହଞ୍ଚାଇଥିଲା । ଏପଟେ ମାସାଧିକ କାଳ ଖୋଜାଖୋଜି ପରେ କୁବେରଙ୍କ ଖୋଜ ଖବର ମିଳି ନଥିଲା ପରିବାର ପରିଜନଙ୍କୁ । ଅନ୍ୟପଟେ 25 ଜୁଲାଇରେ ଖଣ୍ଡୱାର ଜାବର ଥାନା ଅନ୍ତର୍ଗତ ସାତୱାଡା ଗ୍ରାମରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ବ୍ୟକ୍ତିଙ୍କ ଖବର ମିଳିଥିଲା । ପରେ ମାନସିକ ବିକାର ଗ୍ରସ୍ତ ବ୍ୟକ୍ତି ଭାବରେ ଲୋକେ କୁବେରଙ୍କୁ ସ୍ଥାନୀୟ ଦାଦାଜୀ ବୃଦ୍ଧାଶ୍ରମରେ ଦାଖଲ କରିଥିଲେ । ସେଠାରେ ଅନେକ ପଚରାଉଚରା ପରେ ନିଜ ଘର ନୟାଗଡ କହିଥିଲେ କୁବେର । ପରେ ଇଣ୍ଟରନେଟରେ ସର୍ଚ୍ଚ କରି ନୟାଗଡ ପୋଲିସକୁ ସମ୍ପର୍କ କରିଥିଲେ ଆଶ୍ରମ ପରିଚାଳିକା ଅନିତା ସିଂ । ପରବର୍ତ୍ତୀ ସମୟରେ ନୟାଗଡ ପୋଲିସ ସମସ୍ତ ଖବର ଦେଲେ ପରେ କୁବେରଙ୍କ ପରିଚୟ ସହ ସବିଶେଷ ତଥ୍ୟକୁ ଆଧାର କରି କୁବେରଙ୍କୁ ନେବା ପାଇଁ ତାଙ୍କ ପୁଅ ଖଣ୍ଡୱାରେ ପହଞ୍ଚିଥିଲେ ।
ସେଠାରେ ବର୍ଷକ ପରେ ହଜିଯାଇଥିବା ବାପାକୁ ପାଖରେ ପାଇ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା । ଦାଦାଜୀ ଆଶ୍ରମରେ ଆଶ୍ରୟ ଦେଇଥିବା ପରିଚାଳିକା ଓ ଅନ୍ତେବାସୀଙ୍କୁ ଜଗନ୍ନାଥ ଦର୍ଶନ ପାଇଁ ଅନୁରୋଧ କରି ଘରକୁ ବାହୁଡିଛନ୍ତି । 12 ମାସ ପରେ ପୁଅ ସହ ସୂଦୁର ମଧ୍ୟପ୍ରଦେଶରୁ ନୟାଗଡ ଫେରିଛନ୍ତି କୁବେର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ