ନୟାଗଡ: ବିବାହ ପ୍ରଲୋଭନ ଦେଖାଇ ନବମ ଶ୍ରେଣୀ ଛାତ୍ରୀକୁ 7 ମାସର ଗର୍ଭବତୀକଲା ଦୁଷ୍କର୍ମକାରୀ । ଏଭଳି ଏକ ଘଟଣା ନୟାଗଡ଼ ଜିଲ୍ଲା ବାଣିଗୋଚ୍ଛା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ବାଣିଗୋଚ୍ଛା ଥାନା ଅଞ୍ଚଳର ଜଣେ ନାବାଳିକା ଗଣିଆ ଥାନା ଅଞ୍ଚଳର ଆଶ୍ରମ ସ୍କୁଲରେ ପାଠ ପଢୁଥିଲେ । ଲକଡାଉନ କାରଣରୁ ସ୍କୁଲ ବନ୍ଦ ରହିଥିଲା । ଘରେ ଥିବା ସମୟରେ ନାବାଳିକାଙ୍କ ଗାଁର ବୁଲୁ ବିଶ୍ବାଳ ନାମକ ଜଣେ ଯୁବକ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।
ବିବାହର ପ୍ରଲୋଭନ ଦେଖାଇ ନାବାଳିକା ସହ ଶାରୀରିକ ସମ୍ପର୍କ ରଖିଥିଲେ ଯୁବକ ଜଣକ । ସ୍କୁଲ ଖୋଲିବା ପରେ ଶ୍ରେଣୀରେ ନାବାଳିକା ଉପରେ ଶିକ୍ଷକଙ୍କ ସନ୍ଦେହ ହୋଇଥିଲା । ଏହାପରେ ଶିକ୍ଷକ ଜଣକ ପୀଡିତା ଠାରୁ ସମସ୍ତ କଥା ଶୁଣିବା ପରେ ସ୍କୁଲ କର୍ତ୍ତୃପକ୍ଷ ଜିଲ୍ଲାପାଳଙ୍କ ନିକଟରେ ହାଜର କରିଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବାଣିଗୋଚ୍ଛା ଥାନାରେ ଏକ ମାମଲା ରୁଜୁ ହେବା ସହ ଅଭିଯୁକ୍ତ ଫେରାର ଥିବା ପୋଲିସ ଠାରୁ ସୂଚନା ମିଳିଛି । ନାବାଳିକାକୁ ମେଡିକାଲରେ ଥିବା ‘ୱାନ୍ ଷ୍ଟପ୍ ସେଣ୍ଟର’ରେ ରଖାଯାଇଛି । ସେ ବର୍ତ୍ତମାନ 7 ମାସର ଗର୍ଭବତୀ ଥିବା ସେଣ୍ଟର ପକ୍ଷରୁ ସୂଚନା ମିଳିଛି ।
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ