ନୟାଗଡ: ସୋମବାର ଛେନାପୋଡ଼ ଦିବସ । ବିଶ୍ୱସ୍ତରୀୟ ପାଳନ ପାଇଁ ଅଣ୍ଟା ଭିଡିଛନ୍ତି ବିଭିନ୍ନ ଅନୁଷ୍ଠାନ । ନୟାଗଡ ଛେନାପୋଡକୁ ବିଶ୍ୱସ୍ତରୀୟ କରାଇବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ । ନୟାଗଡ ଛେନାପୋଡର ସ୍ରଷ୍ଟା କୁହାଯାଉଥିବା ସୁଦର୍ଶନ ସାହୁଙ୍କ ଜନ୍ମ ଦିବସକୁ ବିଶ୍ୱ ଛେନାପୋଡ ଦିବସ ରୂପେ ପାଳନ କରିବା ପାଇଁ ଅଣ୍ଟା ଭିଡିଛନ୍ତି ବିଭିନ୍ନ ଅନୁଷ୍ଠାନ l
ଏପ୍ରିଲ 11କୁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ ପାଇଁ ସମସ୍ତେ ଆଗ୍ରହ ପ୍ରକାଶ କରିଛନ୍ତି l ଏଥିପାଇଁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରି ଥିବାବେଳେ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି । ସେପଟେ ଏଭଳି ଏକ ଉଦ୍ୟମକୁ ସ୍ୱାଗତ କରିଛନ୍ତି ନୟାଗଡର ଜନସାଧାରଣ । ସହରର କଚେରୀ ବଜାରରେ ଜଳଖିଆ ଦୋକାନ କରିଥିବା ସୁଦର୍ଶନ ସାହୁ ଦିନେ ବଳିପଡିଥିବା କିଛି ଛେନାକୁ ବଞ୍ଚାଇବା ପାଇଁ କରିଥିଲେ ଉଦ୍ୟମ । ବଳକା ଛେନାରେ କିଛି ଚିନି ମିଶାଇ ତାକୁ ପୋଡି ପୋଡପିଠା ପ୍ରସ୍ତୁତ କରିଥିଲେ ସୁଦର୍ଶନ ।
ସେଥିପାଇଁ ସୁଦର୍ଶନଙ୍କୁ ଛେନାପୋଡର ସ୍ରଷ୍ଟା ବୋଲି କୁହାଯାଉ ଥିବାବେଳେ ପରେ ଏହାର ଆଦୃତି ବଢିବାରେ ଲାଗିଛି । ତେଣୁ ସ୍ୱର୍ଗତ ସୁଦର୍ଶନଙ୍କ ଜନ୍ମ ତାରିଖ ଅନୁସାରେ ଅପ୍ରେଲ ୧୧ ତାରିଖକୁ ବିଶ୍ୱ ଛେନାପୋଡ ଦିବସ ହିସାବରେ ବିଶ୍ୱସ୍ତରରେ ପାଳନ କରିବାକୁ ଉଦ୍ୟମ କରୁଛନ୍ତି ଏକାଧିକ ସଂସ୍ଥା । ଏଭଳି ଉଦ୍ୟମକୁ ଜିଲ୍ଲାବାସୀ ସମର୍ଥନ କରିବା ସହ ପ୍ରଶଂସା ମଧ୍ୟ କରୁଛନ୍ତି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ