ନୟାଗଡ଼: ରାଜସୁନାଖଳା ପଞ୍ଚାୟତର ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ସଫେଇ କରି ସୃଷ୍ଟି କଲେ ଉଦାହରଣ । ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଦିଲ୍ଲୀ ଦରବାରରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ହେଲେ ପୁରସ୍କୃତ । ପଞ୍ଚାୟତକୁ ସ୍ବଚ୍ଛ ରଖିବା ଉଦ୍ୟମରେ ରାଜ୍ୟ ସରକାରଙ୍କ ପକ୍ଷରୁ ମନୋନୀତ ପରେ ଦିଲ୍ଲୀରେ ପୁରସ୍କୃତ ହୋଇଛନ୍ତି ଯୁବ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ । ତେବେ ତାଙ୍କର ଏଭଳି ଉଦ୍ୟମ ପାଇଁ ସାଧାରଣରୁ ଛୁଟିଛି ପ୍ରଶଂସାର ସୁଅ ।
ସ୍ବଚ୍ଛତା ପାଇଁ ଲୋକଙ୍କୁ ଦେଇଥିଲେ ପ୍ରତିଶୃତି
ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାଜସୁନାଖଳା ପଞ୍ଚାୟତର ସରପଞ୍ଚ ଭାବରେ ନିର୍ବାଚିତ ହୋଇଛନ୍ତି ଚିତ୍ତରଞ୍ଜନ ପ୍ରଧାନ । ଏହି ନିର୍ବାଚନ ସମୟରେ ସେ ଏକ ସୁସ୍ଥ ଓ ସ୍ବଚ୍ଛ ପଞ୍ଚାୟତ ନିର୍ମାଣ କରିବା ପାଇଁ ପଞ୍ଚାୟତର ଜନସାଧାରଣଙ୍କୁ ପ୍ରତିଶୃତି ଦେଇଥିଲେ । ସେଥିପାଇଁ ନିର୍ବାଚନରେ ବିଜୟଲାଭ କରିବା ପରେ କେହି କିଛି କହିବା ଆଗରୁ ନିଜର ପ୍ରତିଶୃତି ପାଳନ କରିବା ପାଇଁ ନିଜେ ସଫେଇ କାର୍ଯ୍ୟରେ ଲାଗି ଯାଇଥିଲେ । ପଞ୍ଚାୟତର କାର୍ଯ୍ୟ କରିବା ସହ ପ୍ରତି ରବିବାର ନିଜେ ହାତରେ କୋଡ଼ି କୋଦାଳ ଧରି ଟ୍ରଲି ସାହାଯ୍ୟରେ ଗାଁକୁ ଗାଁ ବୁଲି ସଫେଇ କରିଥିଲେ । ଯୁବ ସରପଞ୍ଚଙ୍କର ଏଭଳି ଉଦ୍ୟମ ଯୋଗୁଁ ବିଭିନ୍ନ ସ୍ତରରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଥିଲା ।
ନିଜ ଖର୍ଚ୍ଚରେ କରିଥିଲେ ସଫେଇ ବ୍ୟବସ୍ଥା
ପଞ୍ଚାୟତକୁ ସଫା ରଖିବା ପାଇଁ ପ୍ରଥମେ ନିଜେ ନିଜ ପକେଟ ପଇସାରେ ଏକ ଟ୍ରାକ୍ଟର କିଣିଥିଲେ ସରପଞ୍ଚ । ଜଣେ ଡ୍ରାଇଭର ଏବଂ ଜଣେ ସଫେଇ କର୍ମଚାରୀଙ୍କୁ ନିଯୁକ୍ତି ଦେଇ ନିଜ ହାତରୁ ଦରମା ଦେଲେ । ପଞ୍ଚାୟତର ବିଭିନ୍ନ ସ୍ଥାନରେ ଡଷ୍ଟବିନ ସ୍ଥାପନ କଲେ । ପ୍ରତିଦିନ ସକାଳୁ ଏହି ଡଷ୍ଟବିନ ସବୁରୁ ଅଳିଆ ଆବର୍ଜନାକୁ ଏହି ଟ୍ରାକ୍ଟରରେ ନିର୍ଦ୍ଦିଷ୍ଟ ସ୍ଥାନରେ ନେଇ ପକାଉଛନ୍ତି । ଏହି ପ୍ରକ୍ରିୟାରେ ଟଙ୍କାଟିଏ ସରକାରୀ ଅର୍ଥ ଖର୍ଚ୍ଚ କରିନଥିବା କହିଛନ୍ତି ଚିତ୍ତରଞ୍ଜନ । ରାଜସୁନାଖଳା ଭଳି ବୃହତ ବଜାରକୁ ସ୍ବଚ୍ଛ ରଖିବା ତାଙ୍କର ସ୍ବପ୍ନ । ଯାହା ତାଙ୍କୁ ଦିଲ୍ଲୀ ଦରବାରରେ ପହଞ୍ଚାଇଛି ।
ଦିଲ୍ଲୀରେ ହେଲେ ପୁରସ୍କୃତ
ପ୍ରତି ରବିବାର ଗାଁ ଯୁବ ସଂଗଠନକୁ ସାଙ୍ଗରେ ଧରି ପଞ୍ଚାୟତର ବିସ୍ତିର୍ଣ୍ଣ ବଜାର ଅଞ୍ଚଳକୁ ସଫା କରୁଛନ୍ତି ନିଜେ ସରପଞ୍ଚ । ହାତରେ ଝାଡୁ ଧରି ରାସ୍ତାକୁ ଓଳାଉଛନ୍ତି । ବେଲଚାରେ ରାସ୍ତାକୁ ମାଡ଼ିଥିବ ଘାସ ସଫା କରୁଛନ୍ତି ଏବଂ ଟ୍ରଲି ଚଳାଇ ଅଳିଆକୁ ନେଇ ନିର୍ଦ୍ଦିଷ୍ଟ ସ୍ଥାନରେ ପକାଉଛନ୍ତି । ଏଭଳି କାର୍ଯ୍ୟ ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମନୋନୀତ ହୋଇ ଦିଲ୍ଲୀରେ ପୁରସ୍କୃତ ହୋଇଛନ୍ତି ଯୁବ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ । ଗାନ୍ଧୀ ଜୟନ୍ତି ଅବସରରେ ଦିଲ୍ଲୀରେ ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ପହଞ୍ଚି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତିରେ ପୁରସ୍କୃତ ହୋଇ ନିଜ ପଞ୍ଚାୟତ, ଜିଲ୍ଲା ତଥା ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି ଚିତ୍ତରଞ୍ଜନ ।
ତେବେ ଏଥିପାଇଁ ମନୋନୀତ କରିଥିବାରୁ ସେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, "ଆୱାର୍ଡ଼ ପାଇଲେ ଆମ କାମ ସରିଯିବ ନାହିଁ । ଆଗକୁ ମଧ୍ୟ ମୋ ପଞ୍ଚାୟତର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସହିତ ସଫେଇ କାର୍ଯ୍ୟ ଜାରି ରଖିବି ।"
ତେବେ ରାଜସୁନାଖଳା ଅଞ୍ଚଳର ଯୁବକମାନେ ଏସବୁ କାର୍ଯ୍ୟରେ ସହଯୋଗ କରୁଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ।
ଇଟିଭି ଭାରତ, ନୟାଗଡ଼