ନୟାଗଡ଼: କୃଷି ଓ କୃଷକଙ୍କ ଉନ୍ନତି ପାଇଁ ସରକାରଙ୍କ ମାଳମାଳ ଯୋଜନା । ହେଲେ ନୟାଗଡ଼ରେ ଚାଷୀଙ୍କୁ ଠକିଛନ୍ତି ଖୋଦ କୃଷି ବିଭାଗ । ଚାଷୀଙ୍କ ଧାନ ବିହନ ଯୋଗେଇଥିଲେ ସରକାର । କିନ୍ତୁ ବିଲରେ ବୁଣିଲା ପରେ ଧାନ ଗଛ ଗଜା ହେଉନାହିଁ । ଏପରିକି ଧାନ ବିହନ ଦେଇ ଚାଷୀଙ୍କୁ ଦେଇ ଠକିଦେଇଛି କୃଷି ବିଭାଗ । ଏଭଳି ଅଭାବନୀୟ ଘଟଣା ଘଟିଛି ଖୋଦ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଜିଲ୍ଲାରେ ।
ସୂଚନା ଅନୁସାରେ, କୃଷକଙ୍କୁ ଲାଭବାନ କରିବା ପାଇଁ ସରକାର କୃଷି ବିଭାଗ ଦ୍ଵାରା ସରକାରୀ ଧାନ ବିହନ ସେବା ସମବାୟ ସମିତି ମାଧ୍ୟମରେ ଯୋଗେଇଦେଲେ । ଧାନ ବିଲରେ ଟ୍ରାକ୍ଟର ଲଗେଇ ଚାଷକରି ଚାଷୀ ବିହନ ବୁଣିଲା । ରଜ ସଂକ୍ରାନ୍ତି ଯାଇ ଇତି ମଧ୍ୟରେ ରଥ ଯାତ୍ରାଆସି ପହଞ୍ଚିଲାଣି । ହେଲେ ଗଛ ଉଠିବାର ନାଁ ଧରୁନି । ବିଲରେ ଦୁଇଥର ଧାନ ବିହନ ବୁଣିସାରିଥିଲେ ମଧ୍ୟ, ଗଛ ଉଠୁନାହିଁ ।
ତେବେ କୃଷି ଋଣ କରି ଧାନ ଚାଷ କରିଥିଲେ ମଧ୍ୟ ଚାଷୀ ହତାଶ । ଅନ୍ୟପଟେ କମ ବର୍ଷା ଯୋଗୁଁ ଗଜା ମରୁଡି ଆଶଙ୍କାରେ ଚାଷୀକୁଳ । ବର୍ତ୍ତମାନ ସ୍ଥିତିରେ ନୟାଗଡ଼ ଜିଲ୍ଲାର ଆଠଗୋଟି ବ୍ଲକରେ ହଜାର ହଜାର ହେକ୍ଟର ଚାଷ ଜମିରେ କୃଷକମାନେ ବିଭିନ୍ନ ସୋସାଇଟିରୁ କୃଷି ଋଣ କରି ସରକାରୀ ଧାନ ଚାଷ କରି ଏବେ ହତାଶ ହୋଇପଡିଛନ୍ତି ।
ସରକାର ଗୋଟିଏ ପ୍ୟାକେଟରେ କୋଡିଏ କେଜି ଧାନ ବିହନ କୃଷକମାନଙ୍କୁ ଚାରିସହ ଟଙ୍କାରେ ବିକ୍ରି କରିଥିଲେ । ଏବେ ଦେଶୀ ଧାନ ବିହନ ମଧ୍ୟ ଆଉ ଲୋକଙ୍କ ପାଖରେ ନାହିଁ ବିଲରେ ବୁଣିବା ପାଇଁ । ଗୋଟିଏ ପଟେ ବିହନ ଅନ୍ୟପଟେ ସରକାରୀ ଋଣ କେମିତି ସୁଝିବେ ସେନେଇ ଚିନ୍ତାରେ ଚାଷୀକୁଳ । ହଜାରେ ଅଠର, ସ୍ଵର୍ଣ, ମୃଣାଳୀନ, ପୂଜା, ଲଲାଟ, ଇତ୍ୟାଦି ଧାନ ବିହନ ଆଣି ଚାଷୀମାନେ ବିଲରେ ବୁଣିଥିଲେ ।
ଏ ବିଷୟରେ ସୋସାଇଟିରେ ଅଭିଯୋଗ କଲେ ମଧ୍ୟ, ସମସ୍ୟାର ସମାଧାନ ହୋଇପାରିନାହିଁ । ସୋସାଇଟି ସେକ୍ରେଟେରୀ କହିଛନ୍ତି, ସେ ଘଟଣା ସମ୍ପର୍କରେ ଜିଲ୍ଲା କୃଷି ଅଧିକାରୀଙ୍କୁ ଜଣେଇଛନ୍ତି । ସେ ଯଦିକିଛି ପଦକ୍ଷେପ ନେବେ, ତାହେଲେ ଚାଷୀମାନେ ଉପକୃତ ହୋଇପାରିବେ ।
ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ