ନୟାଗଡ଼ : ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଏସ୍ଆଇଟି ତଦନ୍ତ କରୁଛି l ଏହାର ଷ୍ଟାଟସ ରିପୋର୍ଟ ବୁଧବାର ଓଡ଼ିଶା ହାଇକୋର୍ଟରେ ଦାଖଲ କରିଛି ଏସଆଇଟି l ରିପୋର୍ଟରେ ଏସଆଇଟି ମାମଲାରେ ନୂଆ ଖୁଲାସା କରିଛି ।
ଅନ୍ୟପକ୍ଷରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାଁରେ ଆସିଛି ସଂଗୀନ ଅଭିଯୋଗ l ଅଭିଯୋଗ ଆଣିଛନ୍ତି ଯଦୁପୁର ଗ୍ରାମର ସରୋଜ ସେଠୀ l ଦୋଷ ମୁଣ୍ଡେଇବାକୁ ଅରୁଣ ବୋଥ୍ରା ତାଙ୍କୁ ୫ ଲକ୍ଷ ଟଙ୍କା ଯାଚିଥିବା ସେ ଆଜି କହିଛନ୍ତି। ଏହି ଆଇନ ଛାତ୍ର ଜଣକ କହିଛନ୍ତି ଯେ, ନିଖୋଜ ହେବାର ପୂର୍ବଦିନ ପରୀ ଆମ ଘରକୁ ଆସିଥିବାରୁ ମୋତେ ସନ୍ଦେହ କରାଯାଉଛି ।
ସେଥିପାଇଁ ମୋର ରକ୍ତ, ଲାଳ ନମୁନା ଏବଂ ପ୍ୟାଣ୍ଟସାର୍ଟ ନେଇଛନ୍ତି । ହେଲେ ଦୋଷ ମାନିବାକୁ ଅରୁଣ ବୋଥ୍ରା ସାର୍ ମୋତେ ୫ ଲକ୍ଷ ଯାଚିଛନ୍ତି । ତୋତେ ୧୮ ବର୍ଷ ହେଲେ ଆମେ ୧୭ ଦେଖାଇବୁ, ତୁ ରାଜି ହୋଇଯା ବୋଲି ବୋଥ୍ରା କହିଥିବା ଅଭିଯୋଗ କରିଛନ୍ତି ସରୋଜ l
ତେବେ ମୁଁ ନିର୍ଦ୍ଦୋଷ, କିଛି ଜାଣିନି ବୋଲି ସରୋଜ ସେଠୀ କହିଛନ୍ତି । ମୋର ପରିବାରର କିଛି ହେଲେ ଅରୁଣ ବୋଥ୍ରା ଦାୟୀ ରହିବେ କହିଛନ୍ତି ସରୋଜ ସେଠୀ l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ