ନବରଙ୍ଗପୁର: ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଅମଲାଭଟ୍ଟା ପଞ୍ଚାୟତରେ ଭାଲୁ ଆତଙ୍କ । ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ନିଲଗୁଣ୍ଡି ଗୁଡା ଗ୍ରାମର ରମେଶ କୁଶ ଘର ନିକଟସ୍ଥ ପଡିଆକୁ ଯାଇଥିବାବେଳେ ହଠାତ ଭାଲୁ ହାବୁଡରେ ପଡିଯାଇଥିଲେ l ଭାଲୁଟି ରମେଶକୁ ଦେଖି ଆକ୍ରମଣ କରିଥିଲା । କିଛି ସମୟ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ପରେ ଯୁବକ ଜଣକ ଭାଲୁ କବଳରୁ ଖସି ଆସିଥିଲେ ।
ଗୁରୁତର ଅବସ୍ଥାରେ ଯୁବକ ଜଣକ ଘରକୁ ଫେରି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ l ପରିବାର ଲୋକେ ସଙ୍ଗେସଙ୍ଗେ 108 ଆମ୍ବୁଲାନ୍ସ ଯୋଗେଁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ।
ପୂର୍ବରୁ ଗତ ଗୁରୁବାର ଏହି ଅଞ୍ଚଳରେ ଭାଲୁ ଆକ୍ରମଣରେ ଜଣେ 65 ବର୍ଷୀୟ ବୃଦ୍ଧ ଭଗବାନ ଗୌଡ଼ଙ୍କର ମୃତ୍ୟୁ ହୋଇଥିଲା । ତେବେ ଏହି ଘଟଣା ପରେ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି l ଭାଲୁକୁ ବନ ବିଭାଗ ପକ୍ଷରୁ ଯଥା ଶୀଘ୍ର ଧରିବା ପାଇଁ ବ୍ୟବସ୍ଥା କରାଯାଉ ବୋଲି ଦାବି ଜଣାଇଛନ୍ତି ଅଞ୍ଚଳବାସୀ ।
ତପନ କୁମାର ବିଷୋୟି, ନବରଙ୍ଗପୁର