ନବରଙ୍ଗପୁର:ଲୁଚାଛପା ପ୍ରେମ ପଡିଲା ମହଙ୍ଗା। କିଛି ଶୁଣିଲେନି, ବାନ୍ଧି ପକାଇ ନିର୍ଦ୍ଧୁମ ଛେଚିଲେ। ଗୋଡେଇ ଗୋଡେଇ ବାଡ଼ି ଧରି ଗାଈ ଗୋରୁଙ୍କୁ ପିଟିବା ଭଳି ବାଡେଇ ପକେଇଲେ ଯୁବକଙ୍କୁ। ପ୍ରଜାକୋର୍ଟରେ ନିସ୍ତୁକ ମାଡ଼ ଦେଲା ପରେ ସେତିକିରେ ମନ ଶାନ୍ତି ହେଲାନି, ପୁଣି ଉକ୍ତ ଯୁବକଙ୍କୁ ଘର ଭିତରେ ବାନ୍ଧି ଲହୁଲୁହାଣ କରିଦେଲେ। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଯୋଡ଼େଙ୍ଗା ପଞ୍ଚାୟତର ବୋରଗାଁରେ।
ମିଳିଥିବା ସୂଚନା ଅନୁଯାଇ, ଉଦୟପୁରର ଆଦିବାସୀ ଗାଁ ର ସୁରେନ୍ଦ୍ର ନାମକ ଯୁବକ ଯୋଡ଼େଙ୍ଗା ପଞ୍ଚାୟତର ବୋରଗାଁ ରେ ଗୋଟେ ଝିଅ ସହ ରାତିରେ ଦେଖା କରିବାକୁ ଯାଇଥିଲେ। ଏହି ସମୟରେ ଗାଁ ଲୋକେ ଯୁବକଙ୍କୁ ଧରି ନିସ୍ତୁକ ମାଡ଼ ମାରିବା ସହ ଗୋଡେଇ ଗୋଡେଇ ବାଡେ଼ଇଥିଲେ। ପରେ ଗୋଟେ ରୁମରେ ବାନ୍ଧି ରଖିଥିଲେ ଓ ପ୍ରଜାକୋର୍ଟ ବସେଇ 60 ହଜାର ଟଙ୍କା ପୁଅକୁ ଜରିମାନା ପକେଇ ଥିଲେ।
ଯୁବକ ଜଣକ 10 ହଜାର ଟଙ୍କା ଦେବାପରେ ତାର ମୋଟର ସାଇକେଲକୁ ରଖିଦେଇଥିଲେ। ବାକି 50 ହଜାର ଟଙ୍କା ଦେଲେ ଗାଡି ଦିଆଯିବ ବୋଲି କହିଥିଲେ। ଘଟଣା ପରେ ଯୁବକଙ୍କ ପରିବାର ଲୋକେ ରାଇଘର ଥାନାରେ ଆସି ଲିଖିତ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଏଇ ମାଡ ମାରିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। ଏବେ ଦେଖିବାକୁ ବାକି ରହିଲା ପୋଲିସ କଣ ପଦକ୍ଷେପ ନେଉଛି।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ