ନବରଙ୍ଗପୁର: ପୋଲ ନିର୍ମାଣ ପାଇଁ ବାରମ୍ବାର ପ୍ରଶାସନକୁ ଗୁହାରୀ କରି ଥକି ପଡ଼ିଲେ ଗ୍ରାମବାସୀ। ନା ଶୁଣିଲା ବ୍ଲକ ପ୍ରଶାସନ, ନା ବୁଝିଲା ଜିଲ୍ଲା ପ୍ରଶାସନ । ଶେଷରେ ବାଧ୍ୟ ହୋଇ ନିଜସ୍ବ ଉଦ୍ୟମରେ ସମସ୍ତେ ଚାନ୍ଦା ଆଦାୟ କରି ନାଳ ଉପରେ ତିଆରି କଲେ କାଠ ପୋଲ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ବରାଗୁଡ଼ା ଗାଁରେ।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏହି ଗାଁରେ ପ୍ରାୟ ୬୦ ପରିବାର ବସବାସ କରୁଥିବାବେଳେ ଲୋକ ସଂଖ୍ୟା ୩ଶହରୁ ଊର୍ଦ୍ଧ୍ବ । ଏହି ଗାଁ ଆର ପାରିରେ ରହିଛି ଗୁଣିପାରା ଗାଁ । ନିଜର ଦୈନଦିନ ଆବଶ୍ୟକତା ପାଇଁ ଏହି ଗାଁ ଉପରେ ହିଁ ନିର୍ଭର କରିବାକୁ ପଡେ । କାହିଁକି ନା ସେ ଗାଁ ଦେଇ ଯାଇଛି ମୁଖ୍ୟ ରାସ୍ତା । ଆଉ ଏହି ଗାଁରେ ସ୍କୁଲ, ସ୍ବାସ୍ଥ୍ୟ କେନ୍ଦ୍ର ମଧ୍ୟ ରହିଛି ।
ତେଣୁ ପ୍ରତିଦିନ ପିଲାଙ୍କୁ ସ୍କୁଲ ଯିବାକୁ ହେଲେ କିମ୍ବା ରୋଗୀଙ୍କୁ ଡାକ୍ତରଖାନା ନେବାକୁ ହେଲେ ବିପଦପୂର୍ଣ୍ଣ ଅବସ୍ଥାରେ ନାଳ ପାର ହେବାକୁ ପଡ଼ିଥାଏ । ଖରା ଦିନ ହେଲେ ନାଳ ପାଣି ଶୁଖି ଯାଇଥାଏ । ଆରାମରେ ଗାଁ ଲୋକେ ଏହି ନାଳ ଦେଇ ଯାତାୟତ କରିଥାନ୍ତି । କିନ୍ତୁ ବର୍ଷାଦିନରେ ନାଳ ପାଣି ଫୁଲିଯାଏ । ଆଉ ଗ୍ରାମବାସୀଙ୍କ ଚିନ୍ତାର କାରଣ ପାଲଟି ଯାଏ ।
ସେଥିପାଇଁ ବର୍ଷାଦିନ ହେଲେ ପ୍ରତିବର୍ଷ ଏପରି ଗ୍ରାମବାସୀ ଚାନ୍ଦା ଆଦାୟ କରି କାଠ ପୋଲ ନିର୍ମାଣ କରୁଥିବା କହିଛନ୍ତି । ଏନେଇ ବାରମ୍ବାର ପ୍ରଶାସନକୁ ପୋଲ ନିର୍ମାଣ ପାଇଁ ଜଣାଇଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ଖୁବଶୀଘ୍ର ନାଳ ଉପରେ କଲଭର୍ଟ ତିଆରି କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ସେପଟେ ଗାଁ ଲୋକଙ୍କ ସପ୍ନ କେବେ ପୂରଣ ହେବ, କେବେ ଜିଲ୍ଲା ପ୍ରଶାସନ ଗ୍ରାମବାସୀଙ୍କ ଦୁଃଖ ଦୂର କରିବେ ତାହା ଏବେ ଦେଖିବାକୁ ବାକି ରହିଲା।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ