ନବରଙ୍ଗପୁର: ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଗଞ୍ଜାପାରା ମୌଜାରେ ଠିପି ଖୋଲା ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ । ଏହାକୁ ବିରୋଧ କରି ମଙ୍ଗଳବାର ଗଞ୍ଜାପାରା ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଗଞ୍ଜାପାରା ମୌଜାରେ ଏକ ଠିପି ଖୋଲା ମଦ ଦୋକାନ ଖୋଲିବା ପାଇଁ ସରକାରଙ୍କ ତରଫରୁ ଏକ ପ୍ରସ୍ତାବ ଆସିଥିଲା l ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ଥାନୀୟ ଅଞ୍ଚଳବାସୀ ବିରୋଧ କରିଛନ୍ତି । ଏନେଇ ମଙ୍ଗଳବାର ଗଞ୍ଜାପାରା ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ:ଶିକ୍ଷକ ବଦଳି ପ୍ରତିବାଦ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ
ରାଇଘର ଠାରୁ ଗଞ୍ଜାପାରା ଯିବା ରାସ୍ତାରେ ଏହି ଦୋକାନ ଖୋଲିବା ପାଇଁ ସମସ୍ତ ପ୍ରସ୍ତୁତି ଚଳାଇଥିବା ବେଳେ ପ୍ରଶାସନକୁ ବିରୋଧ କରୁଛନ୍ତି ସ୍ଥାନୀୟ ବାସିନ୍ଦା l ଉକ୍ତ ଅଞ୍ଚଳରେ ସ୍କୁଲ କଲେଜ ସହ ଏକ ଆଇଟିଆଇ ଭଳି ଶିକ୍ଷାନୁଷ୍ଠାନ ରହିଥିବାରୁ ମଦ ଦୋକାନ ହେଲେ ଛାତ୍ର ଛାତ୍ରୀଙ୍କ ଉପରେ ଖରାପ ପ୍ରଭାବ ପଡିବା ସହ ଯୁବଗୋଷ୍ଠୀଙ୍କ ଭବିଷ୍ୟତ ନଷ୍ଟ ହୋଇଯିବା ସହ ସ୍ଥାନୀୟ ଅଞ୍ଚଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଯଦି ପ୍ରଶାସନ ସେମାନଙ୍କ ଦାବିକୁ ଅଣଦେଖା କରେ ତାହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ ।
ଏନେଇ ପୂର୍ବତନ ଜିଲ୍ଲାପରିଷଦ ସୁଦର୍ଶନ ମାଝୀ କହିଛନ୍ତି ଯେ," ଆମେ ନବରଙ୍ଗପୁର ଜିଲ୍ଲାପାଳଙ୍କ ପାଖରେ ଦାବିପତ୍ର ଦେବାପାଇଁ ଆସିଛୁ । ଗଞ୍ଜାପାରା ମୌଜାରେ ସରକାରଙ୍କ ତରଫରୁ ଦିଆଯାଇଥିବା ଠିପି ଖୋଲା ମଦ ଦୋକାନ ପ୍ରସ୍ତାବକୁ ଆମେ ବିରୋଧ କରୁଛୁ । କାରଣ ମଦ ଦୋକାନ ହେଲେ ଅଳ୍ପ ବୟସ୍କ ବ୍ୟକ୍ତିମାନେ ମଦ ପିଇବା ପାଇଁ ଉଚ୍ଛୁକ ହେବେ । ଯାହା ଫଳରେ ଅକାଳରେ ମୃତ୍ୟୁ ହେବ । ଯଦି ଏହି ମଦ ଦୋକାନ ଖୋଲାଯାଏ ତାହେଲେ ଏହି ପଞ୍ଚାୟତ ବରବାଦ ହୋଇଯିବ । ତେଣୁ ଆମେ ଏହାକୁ ବିରୋଧକରି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛୁ ।"
ଗଞ୍ଜାପାରାର ଏକ ବାସିନ୍ଦାଙ୍କ କହିବା ଅନୁସାରେ, "ଆମ ଅଞ୍ଚଳରେ ଆଦର୍ଶ ବିଦ୍ୟାଳୟ ସହ ଅନେକ ଶିକ୍ଷାନୁଷ୍ଠାନ ରହିଛି । ଅନେକ ଦୂରଦୂରରୁ ପିଲାଆସି ଶିକ୍ଷାନୁଷ୍ଠାନରେ ପାଠ ପଢୁଛନ୍ତି । ଏହି ଠିପି ଖୋଲା ମଦ ଦୋକାନ ଖୋଲିଲେ ସେମାନେ ଯାହା ଘରୁ ପଇସା ଆଣିବେ ତାହା ପାଠ ପଢାରେ ବିନିଯୋଗ ନକରି ମଦ ପିଇବେ । ତେଣୁ ଆମେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରୁଛୁ ।"
ଇଟିଭି ଭାରତ, ନବରଙ୍ଗପୁର