ନବରଙ୍ଗପୁର: ସଟଡାଉନ୍ ଘୋଷଣା ପରେ ପୋଲିସର କଡ଼ା ସୁରକ୍ଷା ଘେରରେ ଉମରକୋଟ । ଗତକାଲି ମଧ୍ୟରାତ୍ର ଠାରୁ ୨୯ ଜୁନ ସକାଳ ୭.00 ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଥିଲେ, ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର । ଜିଲ୍ଲାରେ ନୂଆ ୧୯ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ, ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତି ନିଆଯାଇଛି ।
ଜିଲ୍ଲାର ମୁଖ୍ୟ ବ୍ୟବସାୟିକ କେନ୍ଦ୍ର ଉମରକୋଟ ପୌରାଞ୍ଚଳ ଓ ବ୍ଲକରେ ୫୫ ଘଣ୍ଟା ପାଇଁ ସଟଡାଉନ୍ ଘୋଷଣା ହୋଇଛି । ଫଳରେ ଆଜି ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିଲା । ତେବେ ଜରୁରୀ ସେବା ଗୁଡିକୁ ସଟଡାଉନରୁ ବାଦ ଦିଆଯାଇଛି ।
ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ଉମରକୋଟ ଅଞ୍ଚଳରେ ସବୁଠୁ ଅଧିକ ୧୦ ଜଣ ନୂତନ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସାମାଜିକ ଦୂରତ୍ତ୍ବ ଓ ମାସ୍କ ବ୍ୟବହାର ନିୟମକୁ ଅଣଦେଖା କରାଯାଉଥିବାରୁ ସଂକ୍ରମଣ ବୃଦ୍ଧି ପାଉଥିବା ଆଶଙ୍କା କରାଯାଉଛି । ଫଳରେ ପ୍ରଶାସନ ପକ୍ଷରୁ ଜିଲ୍ଲାକୁ ସଟଡାଉନ କରାଯାଇଛି ।
ଉମରକୋଟ ତହସିଲଦାର ଓ ପୌରପାଳିକା ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସଟଡାଉନ ନେଇ ଅବଗତ କରାଯାଇଛି । ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ, ନିୟମ ଉଲଂଘନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଡିପିଓ କହିଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୟି, ଇଟିଭି ଭାରତ