ନବରଙ୍ଗପୁର: ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ନିମନ୍ତେ ଡିଆଇଇଟି(DIET) ତଥା ବିଇଡି(BED) ଡିଗ୍ରୀ ଧାରୀ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
ଶିକ୍ଷକ-ଶିକ୍ଷୟତ୍ରୀ ପାଇଁ ଆଶାୟୀ ଥିବା ଡିଆଇଇଟି(DIET) ତଥା ବିଇଡି(BED) ଡିଗ୍ରୀଧାରୀମାନେ ଦୀର୍ଘବର୍ଷ ଧରି ନିଜ ଡିଗ୍ରୀ ହାସଲ କରିଛନ୍ତି । ମାତ୍ର 2016 ମସିହାରୁ କନିଷ୍ଠ ଶିକ୍ଷକ ନିଯୁକ୍ତି ନିମନ୍ତେ ସରକାରଙ୍କ ଦ୍ଵାରା କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଯାହାଫଳରେ ବର୍ତ୍ତମାନ ସରକାରୀ ଡିଆଇଇଟି(DIET) ତଥା ବିଇଡି(BED) ଆଶାୟୀଙ୍କ ସଂଖ୍ୟା 50 ହଜାରରୁ ଊର୍ଦ୍ଧ୍ବ ହେବ ବୋଲି ଦାବିପତ୍ରରେ ବର୍ଣ୍ଣନା କରାଯାଇଛି ।
ନିଯୁକ୍ତି ଅଭାବରୁ ମାନସିକ ଚାପରେ ବେକାର ଜୀବନ କାଟୁଥିବା ପ୍ରକାଶ କରିଛନ୍ତି ଏହି ଛାତ୍ରଛାତ୍ରୀ । ଏନେଇ ଆଶାୟୀ ଡିଆଇଇଟି(DIET) ତଥା ବିଇଡି(BED) କନିଷ୍ଠ ଶିକ୍ଷକ ନିଯୁକ୍ତି ସଂକ୍ରାନ୍ତରେ ଭେଟି ଆଲୋଚନା କରିଥିଲେ କିନ୍ତୁ ଆର୍ଥିକ ଅସୁବିଧା ହେତୁ ଅର୍ଥ ବିଭାଗ ଏହାକୁ ଅନୁମୋଦନ କରୁନାହାନ୍ତି । ଅପରପକ୍ଷରେ କନିଷ୍ଠ ଶିକ୍ଷକ ନିଯୁକ୍ତି ସଂକ୍ରାନ୍ତରେ କୌଣସି ଫାଇଲ ତାଙ୍କ ନିକଟକୁ ଆସିନଥିବା ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି ।
ତେଣୁ ମୁଖ୍ୟମନ୍ତ୍ରୀ ମାମଲାରେ ହସ୍ତକ୍ଷେପ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଜିଲ୍ଲା ଡିଆଇଇଟି(DIET) ତଥା ବିଇଡି(BED) ଡିଗ୍ରିଧାରୀ ଯୁବକଯୁବତୀ ।
ଏମାନେ ନବରଙ୍ଗପୁର ସହର ମଧ୍ୟରେ ଏକ ରାଲ୍ଲୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପହଁଞ୍ଚିବା ପରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ