ନବରଙ୍ଗପୁର: ନିର୍ବାଚନ ସମୟରେ ହୃଦୟ ବିଦାରକ ଘଟଣା । ନବରଙ୍ଗପୁର ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣା ଗସ୍ତ ହୋଇଛି । ଏଥିରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୩୦ ଜଣ ଆହତ ହୋଇଛନ୍ତି । ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିବା ଜଣାପଡିଛି ।
ମୃତକ ୩ ଜଣ ଗ୍ରାମରକ୍ଷୀ ହୋଇଥିବାବେଳେ ସେମାନେ ହେଲେ ଇନ୍ଦ୍ରାବତୀର ଶେଷା ରାଓ, ରବି ବିଷୋୟୀ ଓ ଜଗବନ୍ଧୁ ଗୌଡ । ଗୁରୁତରମାନଙ୍କୁ ପ୍ରଥମେ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ଶୁକ୍ରବାର ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ବ୍ଲକରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଗ୍ରାମରକ୍ଷୀମାନେ ନବରଙ୍ଗପୁର ଆରଓ କାର୍ଯ୍ୟାଳୟରୁ କୋଷାଗୁମୁଡାକୁ ଯାଉଥିଲେ । ସେମାନେ କୋଷାଗୁମୁଡା ଅଞ୍ଚଳରେ ଆସନ୍ତା ୨୦ ତାରିଖରେ ହେବାକୁ ଥିବା ୩ୟ ପର୍ଯ୍ୟାୟର ଭୋଟ ଗ୍ରହଣ ସମୟରେ ଡ୍ୟୁଟି କରିଥାନ୍ତେ । ପ୍ରାୟ ୪୫ ଜଣଙ୍କୁ ନେଇ ଏହି ବସ୍ଟି ନବରଙ୍ଗପୁର RO ଠାରୁ ବାହାରିଥିଲା । କିନ୍ତୁ ପାପଡ଼ାହାଣ୍ଡି ବ୍ଲକର ସୋରିଷପଦର ତଣ୍ଡାଗୁଡ଼ା ଗାଁ ନିକଟରେ ବସ୍ର ଚାଳକ ଭାରସାମ୍ୟ ହରାଇଥିଲେ । ଫଳରେ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ଗାଡି ତଳେ ଚାପି ହୋଇ ୩ ଜଣ ଗ୍ରାମରକ୍ଷୀ ପ୍ରାଣ ହରାଇଛନ୍ତି ।
ସ୍ଥାନୀୟ ଲୋକଙ୍କର ସହାୟତରେ ପୋଲିସ ଆମ୍ବୁଲାନ୍ସ ଜରିଆରେ ସମସ୍ତ ଆହତ ଓ ଗୁରୁତରଙ୍କୁ ପାପାଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି । ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଦୁଇ-ତିନି ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ସଙ୍କଟାପନ୍ନ ରହିଥିବାରୁ ସେମାନଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯିବ ଓ ଅନ୍ୟମାନଙ୍କୁ ଏହିଠାରେ ଚିକିତ୍ସା କରାଯିବ ବୋଲି ଚିକିତ୍ସକ କହିଛନ୍ତି । ଏସପି ପୁରୁଷୋତ୍ତମ ଦାସ ଦୁର୍ଘଟଣାର ତଦନ୍ତ କରାଯିବ ବୋଲି କହିଥିବାବେଳେ ବିଧାୟକ ସଦାଶିବ ପ୍ରଧାନ ଓ ଜିଲ୍ଲାପାଳ କମଳ ଲୋଚନ ମିଶ୍ର ସରକାରୀ ନିୟମ ଅନୁଯାୟୀ ମୃତକଙ୍କ ପାଇଁ କ୍ଷତିପୂରଣ ପାଇବା ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ