ନବରଙ୍ଗପୁର: ପବିତ୍ର ରଜପର୍ବ ଆଷାଢର ଆରମ୍ଭରେ ଆସେ ରଜ । ପହିଲି ରଜର ଠିକ୍ ପୂର୍ବଦିନ ସଜବାଜ ଏବଂ ଶେଷଦିନ ବସୁମତି ସ୍ନାନକୁ ମିଶାଇ ଏହା ପାଞ୍ଚଦିନ ଧରି ପାଳନ କରାଯାଇଥାଏ । ରଜର ମୁଖ୍ୟ ତିନିଦିନ ହେଲା ପହିଲି ରଜ, ରଜ ସଂକ୍ରାନ୍ତି ଏବଂ ଭୂମିଦହନ ବା ଭୂମିଦାହ । ପହିଲି ରଜର ପୂର୍ବଦିନ ସଜବାଜ ହୋଇ ରଜ ପାଳନ କରିବାକୁ ସମସ୍ତେ ପ୍ରସ୍ତୁତ ହୋଇଥାନ୍ତି । ଚଳିତବର୍ଷ କୋଭିଡ କଟକଣା ମଧ୍ୟରେ ପିଠାପଣାରେ ମହକୁଛି ଘର ମହକିବା ସହ ଓଠରେ ହସ, ପାଟିରେ ରଜ ପାନ ଓ ମନରେ ଉଲ୍ଲାସ ଭରିଦେଇଛି ରଜ ।
ପହିଲି ରଜର ପୂର୍ବଦିନ ସଜବାଜ ହୋଇ ରଜ ପାଳନ କରିବାକୁ ସମସ୍ତେ ପ୍ରସ୍ତୁତ ହୋଇଥାନ୍ତି । କାରଣ ରଜର ତିନି ଦିନଯାକ ମହିଳାଙ୍କୁ ଘର କାମ କରିବା ମନା । ତେବେ ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ତାରାଗାଁ ଠାରେ ଭିଡ଼ ନ କରି କଟକଣା ମଧ୍ୟରେ ଦୋଳି ଖେଳିବା ପାଇଁ ଦୋଳି ନିର୍ମାଣ କରି ଆଜି ସମସ୍ତେ କାମଧନ୍ଦାରୁ ବିରତ ହୋଇ ଏବଂ ରୋଷେଇ ବନ୍ଦ କରି ପ୍ରସ୍ତୁତ ପିଠାପଣା ସାଙ୍ଗକୁ ଫଳ ଓ ସ୍ବାଦିଷ୍ଟ ଖାଦ୍ୟ ଖାଇବା ସହ ଦୋଳି ଖେଳି ନାଚଗୀତ କରି ରଜ ପର୍ବକୁ ପାଳନ କରୁଛନ୍ତି ଲୋକେ ।
ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ କୋଭିଡ କଟକଣାରେ ପାଳିତ ହେଉଛି ରଜ । ରଜ ସାଧାରଣତଃ ଝିଅ ମାନଙ୍କ ପର୍ବ ହୋଇଥିବା ବେଳେ ଝିଅମାନେ ଘରକୁ ଘର ବୁଲି ରଜ ପିଠା ଖାଇଥାନ୍ତି । ଆଉ ଏଥି ସହିତ ବିଭିନ୍ନ ପ୍ରକାରର ଖେଳରେ ମସଗୁଲ ଥାଆନ୍ତି । ମାତ୍ର ଏଥର କୋରୋନା ସଂକ୍ରମଣ ଡରରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରେ ଲକଡାଉନ ଜାରି ରହିଛି ।
ତେବେ ଗତକାଲି ପହିଲି ରଜ ଥିବାବେଳେ ଆଜି ହେଉଛି ରଜ ସଂକ୍ରାନ୍ତି । ଆଜିର ଦିନରେ କୋରୋନା କଟକଣା ମଧ୍ୟରେ ତାରାଗାଁରେ ପାଳିତ ହୋଇଛି ରଜ । କୋରୋନା କଟକଣା ଯୋଗୁଁ ବାହାରେ ବିଶେଷ ବୁଲାବୁଲି ନକରି ନିଜ ପରିବାର ସହ ରଜ ପାଳିଛନ୍ତି କୁମାରୀ ଝିଅ । ମନରେ କୋରୋନା କଟକଣା ଦୁଃଖ ଥିଲେବି ସମସ୍ତେ କୋଭିଡ କଟକଣାକୁ ମାନୁନଥିବା ଦେଖିବାକୁ ମିଳିଛି ।
ରଜକୁ କୃଷକର ପର୍ବ ବୋଲି କୁହାଯାଏ । ଓଡ଼ିଶାର କୃଷକମାନେ ଚାଷ ପାଇଁ ମୁଖ୍ୟତଃ ମୌସୁମୀ ବର୍ଷା ଉପରେ ନିର୍ଭର କରିଥାନ୍ତି । ଆମ ରାଜ୍ୟରେ ସାଧାରଣତଃ ରଜ ସମୟରେ ହିଁ ମୌସୁମୀ ଆସିଥାଏ । ରଜ ଆଗରୁ ଚାଷୀ ହଳ କରି ଜମିକୁ ଉର୍ବର କରି ରଖିଥାଏ । ଏହି ସମସ୍ତ କାର୍ଯ୍ୟ କରି ମଣିଷ ଥକି ଯାଇଥାଏ ତେଣୁ ରଜକୁ ଉପଭୋଗ କରିବା ପାଇଁ ଚାଷୀ ଏହି ସମୟରେ କୌଣସି କାର୍ଯ୍ୟ କରି ନ ଥାଏ ।
ବିଶେଷକରି ଝିଅ ଏବଂ ନୂଆ ବୋହୂମାନଙ୍କୁ କାମ କରିବାକୁ ଦିଆଯାଏ ନାହିଁ । ପୃଥିବୀକୁ କଷ୍ଟ ହେବ ବୋଲି ଛେଚା, କୁଟା, ବଟା, ଘଷା ଆଦି କାମ ଏହି ତିନି ଦିନରେ ବନ୍ଦ ରହିଥାଏ । ଚାଷୀମାନେ ବି ହଳ ଲଙ୍ଗଳ ରଖିଦେଇ ଆମୋଦପ୍ରମୋଦରେ ଲାଗିଯାନ୍ତି । କାରଣ ଏହାପରେ କୃଷକର ଆରମ୍ଭ ହୋଇଯାଏ ମାଟି ସହ ମାଟି ହୋଇ ଖଟିବାର ସମୟ । ଭୂମିଦହନ ପରଦିନ ବସୁମତି ସ୍ନାନ ପରେ ରଜକୁ ଲୋକେ ବିଦାୟ ଦିଅନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ