ନବରଙ୍ଗପୁର: ରାଜ୍ୟରେ ପ୍ରଶାସନିକ ବ୍ୟବସ୍ଥାକୁ ଲୋକଙ୍କ ପାଖରେ ସଠିକ ଭାବେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କର ପଞ୍ଚମ ପାଳି ଶାସନ ବ୍ୟବସ୍ଥାରେ ଆରମ୍ଭ କରିଛନ୍ତି ମୋ ସରକାର ଓ 5‘ଟି’ ଯୋଜନା । ଏହି ବ୍ୟବସ୍ଥାର କିଛି ପ୍ରଭାବ ମଧ୍ୟ ପଡିଛି ଶାସନରେ । କିନ୍ତୁ ଏବେ ବି ରାଜ୍ୟର ଅନେକ ଅଫିସରେ ଏବେ ବି ଲାଞ୍ଚ ଦିଆ ନିଆ କାରବାର ଜାରି ରହିଛି । ଏମିତି ଏକ ଲାଞ୍ଚ କାରବାରରର ଭିଡିଓ ଏବେ 5‘ଟି’ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି ।
ଏମିତି ଏକ ଭିଡିଓ ଏବେ ନବରଙ୍ଗପୁରରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓ ଏବେ 5‘ଟି’କୁ ଶକ୍ତ ଚାପୁଡା ଦେଇଛି । ଭିଡିଓଟି ହେଉଛି ନିଯୁକ୍ତି ଦେବାପାଇଁ ଜଣେ ସାଧାରଣ ନାଗରିକଙ୍କ ପାଖରୁ ଜିଲ୍ଲା ପରିବହନ ଅଧିକାରୀ ଲାଞ୍ଚ ନେଇ କିପରି ଚାକିରୀ ଦେଇନଥିବାରୁ ଟଙ୍କା ଦେଇଥିବା ଯୁବକ ଜଣକ ତାଙ୍କ ପରିବାର ସହ ଆର୍ଟିଓ ଅଫିସକୁ ଆସି ଆର୍ଟିଓ ଅଧିକାରୀଙ୍କୁ ଚାକିରି ଦେଲନାହିଁ ତ ଟଙ୍କା ଫେରେଇଦିଅ ବୋଲି ଯୁକ୍ତି କରୁଛନ୍ତି । ଆର୍ଟିଓଙ୍କୁ ଟଙ୍କା ଦେଇଥିବା ଯୁବକ ନିଜେ ତାଙ୍କ ମୋବାଇଲରେ ଏହା ସୁଟିଙ୍ଗ କରିଛନ୍ତି । ଉକ୍ତ ଭିଡିଓକୁ ନବରଙ୍ଗପୁରର ଜଣେ ଯୁବ ଆଇନଜୀବୀ ତାଙ୍କ ଫେସବୁକ ଆକାଉଣ୍ଟରେ ଅପଲୋଡ କରି ଭାଇରାଲ କରିଛନ୍ତି ।
ଲାଞ୍ଚ ଦେଇଥିବା ଯୁବକ ଜଣକ ଚାକିରି ନହେବା କାରଣରୁ ଅଫିସ ଆସି ଟଙ୍କା କଥା କହି ଯୁକ୍ତିତର୍କ କରୁଛନ୍ତି । ଏହାସହ ଭିଡିଓରେ ଡ୍ରାଇଭିଂ ଏବଂ ଲର୍ନିଙ୍ଗ ଲାଇସେନ୍ସ କରିବା ସମୟରେ ଲୋକମାନଙ୍କ ଠାରୁ ଟଙ୍କା ଲାଞ୍ଚ ନେବା କଥା ହୋଉଥିବା ବେଳେ ୧୫ ହଜାର ଟଙ୍କା ଏବଂ ୩ହଜାର ଟଙ୍କା ଫେରାଇବା ପାଇଁ କହୁଛନ୍ତି । ଅଫିସରେ ୪ ରୁ ୫ ଜଣ ଲୋକଙ୍କ ସହିତ ଯୁକ୍ତିତର୍କ ହେବାଭଳି ଜଣାପଡୁଛି । ଆଉ ଆର୍ଟିଓ ଅଧିକାରୀ ମଧ୍ୟ ନେଇଥିବା ଟଙ୍କା ଫେରାଇ ଦେବାପାଇଁ କର୍ମଚାରୀଙ୍କୁ କହୁଛନ୍ତି ।
ତେବେ ଲାଞ୍ଚ କାରବାର ହୋଇଥିବା ସ୍ପଷ୍ଟ ହେଉଥିବା ବେଳେ ଆର୍ଟିଓ ଅଧିକରୀଙ୍କ ବିରୋଧରେ ବିଭାଗର ବଡ ବାବୁ ଓ 5‘ଟି’ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ଓ କେବେ ନେଉଛନ୍ତି ତାକୁ ଅପେକ୍ଷା ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ