ନବରଙ୍ଗପୁର: ସରକାରୀ କାଗଜପତ୍ର କରାଇ ଦେବା ନାଁରେ ଠକେଇ । ଜମିର ମାଲିକାନା କରାଇଦେବା ନାଁରେ ନକଲି କାଗଜପତ୍ର ଦେଇ ଫସିଲେ କୋଷାଗୁମୁଡ଼ା ଥାନା ଅଞ୍ଚଳର ଦଲାଲ ବିଶ୍ବରଞ୍ଜନ ସଗରିଆ । ଏକାଧାରରେ ଜଣେ ନକଲି ଓକିଲ, ସାମ୍ବାଦିକ ଓ ତହସିଲ ବିଭାଗ କର୍ମଚାରୀ ହୋଇ ବିଛାଇଥିଲା ଦଲାଲର ଜାଲ । ଅଭିଯୋଗ ପରେ ବାନ୍ଧିଲା ପୋଲିସ । ଏମିତି ଶହ ଶହ ଲୋକଙ୍କୁ ଠକ ଜାଲରେ ଫସାଇ ଏବେ ଦଲାଲ ପଡିଛି ପୋଲିସ ପଞ୍ଝାରେ ।
ସୂଚନା ଅନୁଯାୟୀ କୋଷାଗୁମୁଡ଼ାର ଅମୂଲ୍ୟ ପାଣିଗ୍ରାହୀଙ୍କ ଜବର ଦଖଲରେ ଥିବା ଅନାବାଦୀ ଯାଗାର ପଟ୍ଟା କରାଇଦେବା ନାରେ ବିଶ୍ବରଞ୍ଜନ ସଗରିଆ ୯ ହଜାର ଟଙ୍କା ନେଇଥିଲା । ଏହାପରେ ଉକ୍ତ ଜମିର ମାଲିକାନା ନେଇ ଏକ ରାଜପତ୍ର ପ୍ରଦାନ କରିଥିଲେ । ଉକ୍ତ ରାଜପତ୍ରକୁ ନେଇ ଅମୂଲ୍ୟ ତସିଲଦାରଙ୍କ ନିକଟକୁ ଯିବାପରେ ଏହା ନକଲି ହୋଇଥିବା ଜଣାପଡିଥିଲା । ଏନେଇ ଲିଖିତ ଅଭିଯୋଗ କରିବାକୁ ଅମୂଲ୍ୟଙ୍କୁ କହିଥିଲେ ତହସିଲଦାର ।
ଅଭିଯୋଗ ତହସିଲଦାରଙ୍କୁ ପ୍ରଦାନ ପରେ ସମ୍ପୃକ୍ତ ଦଲାଲ ବିଶ୍ୱରଞ୍ଜନ ସଗରିଆ ନାଁରେ କୋଷାଗୁମୁଡ଼ା ଥାନାରେ ଗତ ଜୁନ ମାସ ୧୬ ତାରିଖରେ ପୋଲିସ ଏକ ମାମଲା ରୁଜୁ କରିଥିଲା । ତଦନ୍ତ ପରେ ଦଲାଲ ବିଶ୍ବରଞ୍ଜନର ଅସଲି ମୁଖା ସାମ୍ନାକୁ ଆସିଥିଲା । ବିଶ୍ବରଞ୍ଜନ ଘରୁ ପୋଲିସ ଲାପଟପ୍, ପ୍ରିଣ୍ଟର, ନକଲି ଜମି ଦସ୍ତାବିଜ୍, ଡ୍ରାଇଭିଂ ଲାଇସେନ୍ସ,, SHG ଗ୍ରୁପର ରବର ଷ୍ଟାମ୍ପ ସହ ଗୋଟିଏ କାର୍ ଜବତ କରିଛି । ତେବେ ଏହି ଗୋଟିଏ ଅଭିଯୋଗ ନୁହଁ, ଏମିତି ଅନେକ ଅଭିଯୋଗ ଆସିଛି ଦଲାଲ ବିଶ୍ବରଞ୍ଜନ ନାଁରେ ।
କୋଷାଗୁମୁଡ଼ା ବ୍ଲକର ପ୍ରତି ଗାଁରେ ଦଲାଲର ଠକାମୀରେ ଶିକାର ହୋଇଥିବା ଲୋକ ଅଛନ୍ତି । ବିଭିନ୍ନ ସରକାରୀ କାଗଜ ପତ୍ର କରାଇ ଦେବା ନାଁରେ ଗରିବ ଆଦିବାସୀ ଲୋକଙ୍କଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିଲା । ଘରେ ନକଲି କାଗଜ ପତ୍ର ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ଜାଲ ଦସ୍ତଖତ କରି ଠକୁଥିଲା ଲକ୍ଷାଧିକ ଟଙ୍କା । କୋଷାଗୁମୁଡ଼ାଠାରେ ଦୁଇଟି ସରକାରୀ କ୍ବାର୍ଟର ହାସଲ କରିବା ସହ କାର୍ ମଧ୍ୟ ରଖିଥିଲା । କେତେବେଳେ ନକଲି ଓକିଲ, ସାମ୍ବାଦିକ ଓ ତହସିଲ ବିଭାଗ କର୍ମଚାରୀ ବୋଲି ପରିଚୟ ଦେଉଥିଲା । ନିଜ ସୁବିଧା ଅନୁସାରେ କାହାକୁ କେଉଁ ପରିଚୟ ଦେଇ ଲୋକଙ୍କୁ ଠକୁଥିଲା ।
ଏହି ସବୁର ଅଭିଯୋଗ ପରେ କୋଷାଗୁମଡା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି । କେଉଁ ଆଧାରରେ ଏପରି ବ୍ୟକ୍ତିଙ୍କୁ ସରକାରୀ ବାସଭାବନ ଉପଲବ୍ଧ କରାଯାଇଥିଲା ଏହାର ବି ତଦନ୍ତ କରାଯିବ ବୋଲି ପୋଲିସ କହିଛି । ଆଦିବାସୀଙ୍କୁ ବର୍ଷ ବର୍ଷ ଧରି ଦଲାଲ ଠକି ଆସୁଥିବାବେଳେ ବ୍ଲକ, ପୋଲିସ ଓ ତହସିଲ ବିଭାଗ କିଭଳି ଦଲାଲର ଟେର୍ ପାଉନଥିଲା, ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।