ନବରଙ୍ଗପୁର: ଭଗବାନଙ୍କ ସୃଷ୍ଟି ବଡ ବିଚିତ୍ର । କାହାକୁ କେମିତି ଗଢିବେ ତାହା ସାମାନ୍ୟ ମଣିଷ ପକ୍ଷେ ଜାଣିବା ଅସମ୍ଭବ । କିଏ ଯୋଡା ମୁଣ୍ଡ ହୋଇ ଜନ୍ମ ନେଉଛି ତ ଆଉ କିଏ ଅସମ୍ପୂର୍ଣ୍ଣ ଶରୀର ସହ ଜନ୍ମ ନେଉଛି । 12ବର୍ଷ ତଳେ ନବରଙ୍ଗପୁର ଜିଲା ବି-ମାଲିଗୁଡା ଗାଁରେ ମଧୁ ରଜକଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ଯାହାର ନାମ ସନ୍ତୋଷ । ପୁଅଟିଏ ହୋଇଥିବାରୁ ପରିବାର ଖୁସିରେ ବିଭୋର ଥିଲେ । ହେଲେ ପୁତ୍ର ସନ୍ତୋଷଙ୍କର ପରିଶ୍ରା ନଳୀ ବା ଗୁପ୍ତାଙ୍ଗ ନଥିବା ଜାଣିବାକୁ ପାଇଥିଲେ । ଯାହାର ପରିଣାମ ଏବେ ସନ୍ତୋଷ ସହ ପରିବାର ଭୋଗୁଛନ୍ତି ।
ପୁଅକୁ ଏବେ ବାର ବର୍ଷ ହୋଇଥିଲେ ସୁଦ୍ଧା ନା ବିଦ୍ୟାଳୟ ପଠାଉଛନ୍ତି ନା ଉଚ୍ଚତର ଚିକିତ୍ସା କରିପାରୁଛନ୍ତି । ମଧୁ ରଜକ ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବା ବେଳେ ଯାହା ଯେମିତି ସମ୍ବଳ ଯୋଗାଡ କରି ବ୍ରହ୍ମପୁର ବଡମେଡିକାଲକୁ ନେଇଥିଲେ । ହେଲେ ପୁଅ ସନ୍ତୋଷର ଚିକିତ୍ସାରେ କୌଣସି ଉନ୍ନତି ହୋଇନଥିଲା । ଫଳରେ ଅଭାବୀ ପରିବାର ନିରାଶାରେ ସନ୍ତୋଷକୁ ଧରି ଘରକୁ ଫେରି ଆସିଲେ । ଏବେ ବୟସ ବଢିବା ସହ ବଢୁଛି ସନ୍ତୋଷର ଶରୀର । ଫଳରେ ଦିନକୁ ଦିନ ବଢୁଛି ମାନସିକ ଓ ଶାରୀରିକ ଯନ୍ତ୍ରଣା ।
ସନ୍ତୋଷର ଚିକିତ୍ସା ପାଇଁ ଆମେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଭେଟି ସାହାଯ୍ୟ ପାଇଁ ଅନୁରୋଧ କରିଥିଲୁ । ହେଲେ ମୁଖ୍ୟ ଚିକିତ୍ସା ଅଧିକାରୀ ନିଜ ଅସହାୟତ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଚିକିତ୍ସା ପାଣ୍ଠିରୁ ସହୟତା ମିଳିଲେ ଉଚ୍ଚତର ଚିକିତ୍ସା କଲେ ଭଲ ହୋଇପାରିବ । କିନ୍ତୁ ସମ୍ପୂର୍ଣ୍ଣ ଭଲ ହେବେ କି ନାହିଁ ତାହା ଭଗବାନଙ୍କ ହାତରେ ବୋଲି କହିଛନ୍ତି । ଅନ୍ୟପଟେ ପୁ୍ଅର ଚିକିତ୍ସା ପାଇଁ ବାପା ମା ସରକାରୀ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ