ନବରଙ୍ଗପୁର: ଅନେକ ଆଦିବାସୀ ସମ୍ପ୍ରଦାୟ ମଧ୍ୟରୁ ଆଦିମ ଅଧିବାସୀ ହେଉଛି ଅନ୍ୟତମ । ସେମାନଙ୍କ ଜୀବନଚର୍ଯ୍ୟା, ଚାଲି ଚଳଣ, ଖାଦ୍ୟପେୟ ଓ ପରମ୍ପରା ଯେତିକି ନିଆରା ସେତିକି ନିଆରା ତାଙ୍କ ବେଶଭୂଷା । ନିଜ ବେଶ ଭୂଷା ପାଇଁ ସେ ପାଇଛନ୍ତି ଏକ ସ୍ବତନ୍ତ୍ର ପରିଚୟ । ଆଧୁନିକତାର ଛାପରେ ଅନେକ କିଛି ପରିବର୍ତ୍ତନ ଘଟୁଥିଲେ ମଧ୍ୟ ଅପରିବର୍ତ୍ତିତ ରହିଛି ଆଦିବାସୀଙ୍କ ପସନ୍ଦ । କାଳର କରାଳ ଗର୍ଭରେ ଆଦିବାସୀ ସାମଗ୍ରୀର ପ୍ରସ୍ତୁତି ଧୀରେ ଧୀରେ ଲୋପ ପାଉଥିବାବେଳେ ନବରଙ୍ଗପୁର ଜିଲ୍ଲା ଚୁରାହାଣ୍ଡିର ମହିଳା ନୀଳମଣି ଖାତି ଆଦିବାସୀ ଅଳଙ୍କାର ପ୍ରସ୍ତୁତ କରି ବେଶ ପ୍ରସିଦ୍ଧି ଲାଭ କରିଛନ୍ତି । ଦେଶ ବିଦେଶରେ ଜିଲ୍ଲାର ପ୍ରତିନିଧିତ୍ବ କରି ନୀଳମଣି ସାଉଁଟୁଛନ୍ତି ଅନେକ ପ୍ରଶଂସା ।
ନୀଳମଣିଙ୍କ ପୂର୍ବପୁରୁଷ ଏହି ଅଳଙ୍କାର ତିଆରି କରି ବିକ୍ରି କରୁଥିବାବେଳେ ବର୍ତ୍ତମାନ ସେ ମଧ୍ୟ ପୂର୍ବପୁରୁଷଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ତିଆରି କରୁଛନ୍ତି ଭଳିକି ଭଳି ଅଳଙ୍କାର । ତମ୍ବା, ପିତ୍ତଳ, ରସ ଧାତୁକୁ ନିଆଁରେ ଗରମ କରି ହାତୁଡିରେ ବାଡେଇ ତାକୁ ଦେଉଛନ୍ତି ଜୀବନ୍ତ ରୂପ । ଶିଶୁ ଠାରୁ ଯୁବତୀ ଯାଏଁ , ସମସ୍ତଙ୍କ ପାଇଁ ବିଭିନ୍ନ କିସମର କାନଫୁଲ, ନାକ ନଥ, ପାଉଁଜି, ହାର ଆଦି ତିଆରି କରୁଛନ୍ତି ସେ ଏବଂ ଏହି ସବୁ ଅଳଙ୍କାର କିଣିବା ପାଇଁ ଛୁଟି ଆସୁଛନ୍ତି ଗ୍ରାହକ । ଅଳଙ୍କାର ଗଠନ ସମୟରେ ସମସ୍ତଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଅତି ସୂକ୍ଷ୍ମ କାରୁକାର୍ଯ୍ୟ ପ୍ରତି ଧ୍ୟାନ ଦେଇ ଅତି ଯତ୍ନରେ ଏହାକୁ ତିଆରି କରନ୍ତି ନୀଳମଣି । ତେଣୁ ନୀଳମଣିଙ୍କ ଏହି ମନଲୋଭା ଅଳଙ୍କାର ଚାହିଦା ଏବେ ଜିଲ୍ଲା ମଧ୍ୟରେ ସୀମିତ ନ ରହି ରାଜ୍ୟ ତଥା ରାଜ୍ୟ ବାହାରେ ପରିଚୟ ହାସଲ କରିଛି ।
କେବଳ ସେତିକି ନୁହେଁ, ନୀଳମଣି ନିଜେ ସ୍ବାବଲମ୍ବୀ ହେବା ସହ ଗାଁର ଅନ୍ୟ ମହିଳାଙ୍କୁ ମଧ୍ୟ ଆତ୍ମନିର୍ଭରଶୀଳ କରିଛନ୍ତି । 2018 ମସିହାରେ ସେ ଗାଁର ମହିଳାମାନଙ୍କୁ ନେଇ ତିଆରି କରିଛନ୍ତି ଏକ ସ୍ବୟଂ ସହାୟକ ଗୋଷ୍ଠୀ । ଯେଉଁଠି ସମସ୍ତ ମହିଳା ମିଶି ଏହି ଅଳଙ୍କାର ପ୍ରସ୍ତୁତିରେ ଲାଗି ପଡିଛନ୍ତି ଏବଂ ଏହାକୁ ବିକ୍ରି କରି କିଛି ଟଙ୍କା ରୋଜଗାର କରିପାରୁଛନ୍ତି । ତେବେ ଏହି ଅଳଙ୍କାରମାନ ରାଜ୍ୟ ତଥା ରାଜ୍ୟ ବାହାରର ଲୋକେ ମଧ୍ୟ କ୍ରୟ କରୁଥିବା ଦେଖିବାକୁ ମିଳିଛି ।
ଜିଲ୍ଲା ପ୍ରଶାସନ ତରଫରୁ ନୀଳମଣିଙ୍କ ଏହି ପ୍ରୟାସକୁ ସଫଳ କରିବା ପାଇଁ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି ଏବଂ ରାଜ୍ୟ ତଥା ରାଜ୍ୟ ବାହାରେ ଜିଲ୍ଲାର ପ୍ରତିନିଧିତ୍ୱ କରିବାର ସୁଯୋଗ ଦିଆଯାଉଛି । ଯାହା ସେଠିକାର ଗ୍ରାହକଙ୍କ ଦ୍ୱାରା ବେଶ ଆଦୃତ ହୋଇପାରିଛି । ତେବେ ନୀଳମଣିଙ୍କୁ ଉପଯୁକ୍ତ ସରକାରୀ ସହାୟତା ଯୋଗାଇ ଦିଆଯାଇ ଆବଶ୍ୟକ ବଜାର ସୃଷ୍ଟି କରିପାରିଲେ ତାଙ୍କ ଅଳଙ୍କାରର ଚାହିଦା ଆହୁରି ବୃଦ୍ଧି ପାଆନ୍ତା ବୋଲି ସାଧାରଣାରେ କୁହାଯାଇଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ