ନବରଙ୍ଗପୁର : ମୃତ୍ୟୁ ପରେ ଅନ୍ତିମ ସଂସ୍କାର ଏକ ନିମିତ୍ତ କ୍ରିୟା । ଏଭଳି ଅନେକ ଅନ୍ତିମ ସଂସ୍କାର କିମ୍ବା ଶେଷକୃତ୍ୟ ଘଟଣା ଆପଣ ଦେଖିଥିବେ କିମ୍ବା ଶୁଣିଥିବେ । କେବେ କୌଣସି ପଶୁର ଅନ୍ତିମ ସଂସ୍କାର କଥା ଶୁଣିଛନ୍ତି ? ଶୁଣିବାକୁ ଟିକେ ଅଜବ ଲାଗୁଥିଲ ବି କଥା ଟି ସତ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଖାତିଗୁଡା ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଏକ ବୁଲା ଷଣ୍ଢକୁ ଏକ ପାଗଳା କୁକୁର କାମୁଡିବା ପରେ ତାର ମୃତ୍ୟୁ ଘଟିଥିଲା । ଏହାପରେ ହିନ୍ଦୁ ରୀତିନୀତି ଅନୁଯାୟୀ ଷଣ୍ଢଟିର ଅନ୍ତିମ ସଂସ୍କାର କରାଯାଇଛି(Last ritual of Bull at Nabarangpur) ।
ଦୀର୍ଘ ୧୨ ବର୍ଷ ଧରି ଖାତିଗୁଡା ଗ୍ରାମରେ କାଳୁ ନାମକ ଷଣ୍ଢ ଗାଁରେ ଘୁରି ବୁଲୁଥିଲା । ବ୍ୟକ୍ତିଗତ ଭାବରେ କାହାର ପୋଷ୍ୟ ହୋଇନଥିଲେ ସୁଦ୍ଧା କାଳୁ ପ୍ରତି ଗ୍ରାମବାସୀଙ୍କର ଥିଲା ଅହେତୁକ ଆବିଳତା । ସ୍ଥାନୀୟ ଲୋକେ ଶ୍ରଦ୍ଧାରେ ଷଣ୍ଢଟିର ନାମ କାଳୁ ବୋଲି ରଖିଥିଲେ । ଷଣ୍ଢଟି ମଧ୍ୟ ଗାଁ ଲୋକଙ୍କର କେବେ କିଛି କ୍ଷତି କରେନି । ରାତି ପାହିଲା ମାତ୍ରେ ହିଁ ଷଣ୍ଢଟି ଲୋକଙ୍କ ଘର ଆଗରେ ଛିଡ଼ା ହେଇଯାଉଥିଲା । ଆଉ ଗାଁ ଲୋକ ବି ଷଣ୍ଢଟି ଶାନ୍ତ ଓ ସରଳ ହୋଇଥିବାରୁ ଲୋକମାନେ ଖୁବ ସ୍ନେହ ଦେଉଥିଲେ । ଯାହା ଘରେ ରନ୍ଧାଯାଏ ତାକୁ ଖାଇବାକୁ ଦିଅନ୍ତି ।
୧୨ ବର୍ଷ ପୂର୍ବେ ପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନରେ ଜନ୍ମ ନେଇଥିଲା କାଳୁ । ଗ୍ରାମବାସୀଙ୍କ ସହିତ ଏକ ସ୍ନେହ ସମ୍ପର୍କର ଡୋରି ବାନ୍ଧିଥିଲା । ଏଥିପାଇଁ ତ କାଳୁର ମୃତ୍ୟୁ ପରେ ଢୋଲ ଗିନି ବଜାଇ ତାହାର ଅନ୍ତିମ ଯାତ୍ରା ହୋଇଥିଲା । ଷଣ୍ଢ ହୋଇଥିଲେ ସୁଦ୍ଧା ତା ମୃତଦେହ ଉପରେ ଧଳା କପଡ଼ା, ଫୁଲ ଓ ଫଗୁ ବୋଳି ଦେଇଥିଲେ ଗ୍ରାମବାସୀ । ଶେଷରେ ତାକୁ ଗାଁ ମଶାଣିରେ ପୋତି ଦେଇ ଆସିଥିଲେ ।
ଗତ କିଛିଦିନ ହେଲା ଖାତିଗୁଡା ଗ୍ରାମରେ ଏକ ପାଗଳା କୁକୁର ଆତଙ୍କ ଖେଳାଇଛି । ଯାହାଫଳରେ ଗ୍ରାମବାସୀଙ୍କ ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ିଛି । କିଛିଦିନ ପୂର୍ବରୁ ଗାଁରେ ପାଗଳ କୁକୁର ଗାଈ ମାନଙ୍କୁ କାମୁଡ଼ିଥିଲା। ସେଥିମଧ୍ୟରୁ ଗୋଟିଏ ଗାଈର ମଧ୍ୟ ମୃତ୍ୟୁ ହୋଇଥିଲା । ଏହାପରେ ଷଣ୍ଢକୁ ମଧ୍ୟ ସେହି ପାଗଳା କୁକୁର କାମୁଡିଥିଲା । ଫଳରେ ଷଣ୍ଢଟି ପାଗଳ ହୋଇ ଖାତିଗୁଡା ସହର ଉପଦ୍ରବ କରିଥିଲା।
ପାଗଳା କୁକୁରକୁ କାବୁ କରିବାକୁ ବନବିଭାଗ ସମେତ ପ୍ରଶାସନକୁ ଜଣାଇଥିଲେ ଗ୍ରାମବାସୀ । କିନ୍ତୁ କୌଣସି ସାହାଯ୍ୟ ମିଳିନଥିଲା । ପରେ ସ୍ଥାନୀୟ ବାସିନ୍ଦାଙ୍କ କୌଶଳ କ୍ରମେ ଷଣ୍ଢକୁ ଆକଟ କରି ଚିକିତ୍ସା କରାଇଥିଲେ । ତେବେ ଚିକିତ୍ସା ସମୟରେ ହିଁ ଷଣ୍ଢର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଗାଁ ଲୋକଙ୍କ ମନରେ ଆଘାତ ଲାଗିଛି ।
ଷଣ୍ଢର ମୃତ୍ୟୁପରେ ଖାତିଗୁଡ଼ା ବୋଲବମ୍ ସଂଘର ସମସ୍ତ କର୍ମକର୍ତ୍ତାଙ୍କ ତତ୍ତ୍ବାବଧାନରେ ସଙ୍କୀର୍ତ୍ତନ, ସହ ଖାତିଗୁଡ଼ା ଶିବ ମନ୍ଦିର ସାମ୍ନାରେ ଅନ୍ତିମ ସଂସ୍କାର କରାଯାଇଥିଲା । କାଳୁର ସ୍ମୁତି ଉଦ୍ଦେଶ୍ୟରେ ପ୍ରତିମୂର୍ତ୍ତି ହେବ ବୋଲି ବୋଲବମ ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।
ଇଟିଭି ଭାରତ, ନବରଙ୍ଗପୁର