ନବରଙ୍ଗପୁର: ଶନିବାର ଜିଲ୍ଲାର ବିଭିନ୍ନ ସ୍ଥାନରେ ସରକାରଙ୍କ ନିୟମ ଉଲଘଂନ କରି ବାଣ ବିକ୍ରି କରୁଥିବା ବେଳେ ଉମରକୋଟ ପୋଲିସ ଚଢାଉ କରି ବିପୁଳ ପରିମାଣର ବାଣ ଜବତ କରିଛି । ଏହାସହିତ 2ଜଣଙ୍କୁ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି ।
ଚଳିତ ବର୍ଷ ଦୀପାବଳିରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଲଗାଇଛନ୍ତି । କିନ୍ତୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ସରକାରଙ୍କ ନିୟମକୁ ଅବମାନନା କରି ଚୋରା ଭାବେ ବାଣ ବିକ୍ରି କରାଯାଉଛି । ପୋଲିସ ଏ ସଂପର୍କରେ ଖବର ପାଇ ସହରର ପୁରୁଣା ବସଷ୍ଟାଣ୍ଡ ଏବଂ ଡିଏନ୍କେ ସହ ବିଭିନ୍ନ ସ୍ଥାନରେ ପୋଲିସର ଏକ ଟିମ୍ ଏହି ଚଢ଼ାଉ ଅଭିଯାନ ଆରମ୍ଭ କରିଥିଲା ।
ତେବେ ଚଢାଉ ସମୟରେ ପୋଲିସ ବିପୁଳ ପରିମାଣର ବାଣକୁ ଜବତ କରିଛି । ଜବତ ବାଣର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ଦେଇଛନ୍ତି ଉମରକୋଟ ଏସଡିପିଓ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ଆରକ୍ଷୀ ଅଧୀକ୍ଷକଙ୍କ ଆଦେଶରେ ଏହି ଚଢ଼ାଉ କରାଯାଇଥିଲା । ଶନିବାର ଦୀପାବଳି ଥିବାରୁ ସାରା ଦିନ ଉମରକୋଟ ସହର ଓ ଏହାର ଆଖପାଖ ଅଞ୍ଚଳରେ ଚଢାଉ ଜାରି ରହିବ । ଯେଉଁମାନେ ବାଣ ବିକ୍ରି କରିବେ ଓ ଫୁଟାଇବେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଡିପିଓ ଆର. କେ ଜେନା କହିଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ