ନବରଙ୍ଗପୁର: ଜିଲ୍ଲାରେ ସଂକ୍ରମଣ କମିବାର ନାଁ ନେଉନି । ଦିନକୁ ଦିନ ସଂକ୍ରମଣ ଉପରମୁହାଁ ହୋଇଚାଲିଛି । ଶୁକ୍ରବାର ପୁଣି ଦିନକରେ ସର୍ବାଧିକ 151ଜଣ ଆକ୍ରାନ୍ତ ଚିହ୍ନଟ । ଜିଲ୍ଲାର 2ଟି ସହର ଉମରକୋଟ ଓ ନବରଙ୍ଗପୁରରେ ଦ୍ରୁତ ଗତିରେ ବଡିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା ଏହା ସମସ୍ତ ସହରବାସୀଙ୍କ ଚିନ୍ତା ବଢାଇଛି।
ସହରର ପ୍ରାୟ ସମସ୍ତବର୍ଗ କୋରୋନାରେ ଆକ୍ରାନ୍ତ ହୋଇ ସାରିଲେଣି। ସହରରେ ରହୁଥିବା ଲୋକପ୍ରତିନିଧି, ସରକାରୀ ଅଧିକାରୀ, କର୍ମଚାରୀ, ଯନ୍ତ୍ରୀ, ଶିକ୍ଷକ, ଅଧ୍ୟାପକ, ବ୍ୟବସାୟୀ, ପୋଲିସ, ଡ୍ରାଇଭର, ଶ୍ରମିକ, ସାମ୍ବାଦିକ ସମେତ ବୃଦ୍ଧବୃଦ୍ଧା, ଯୁବକ ଯୁବତୀ, ବାଳକ ବାଳିକାମାନେ ମଧ୍ୟ ଆକ୍ରାନ୍ତ ହୋଇସାରିଲେଣି।
ଆଜି ଚିହ୍ନଟ ହୋଇଥିବା 151 ଜଣଙ୍କ ମଧ୍ୟରୁ ଉମରକୋଟ ମ୍ୟୁନସିପାଲିଟିରୁ 73 ଜଣ, ନବରଙ୍ଗପୁର ମ୍ୟୁନସିପାଲିଟିର 45 ଜଣ, ନନ୍ଦାହାଣ୍ଡି ବ୍ଲକରୁ 17ଜଣ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କୋଷାଗୁମୁଡା ବ୍ଲକରୁ 5ଜଣ, ତେନ୍ତୁଳିଖୁଣ୍ଟି ବ୍ଲକରୁ 4 ଜଣ, ଚନ୍ଦାହାଣ୍ଡି ବ୍ଲକରୁ 2 ଜଣେ, ରାଇଘର ବ୍ଲକରୁ 2ଜଣ, ଉମରକୋଟ, ଡାବୁଗାଁ, ପାପଡାହାଣ୍ଡି ବ୍ଲକରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି ।
ଆଜିର 151 ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା 2000ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ 1215 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବାକି 774 ଜଣ କୋରୋନା ପଜିଟିଭ୍ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସେଥିମଧ୍ୟରୁ 630 ଜଣ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା ନେଇ ସୂଚନା ମିଳିଛି।
ନବରଙ୍ଗପୁରରୁ ତପନ କୁମାର ବିଷୋୟି, ଇଟିଭି ଭାରତ