ନବରଙ୍ଗପୁର: ରାଜ୍ୟରେ ବିକାଶର ଡିଣ୍ଡିମ ପିଟୁଛନ୍ତି ସରକାର । କୋଟି କୋଟି ଟଙ୍କା ବ୍ୟୟରେ ମାଳ ମାଳ ଯୋଜନା ହେଉଛି । ତଥାପି କମୁନି ଉପାନ୍ତ ଅଞ୍ଚଳବାସୀଙ୍କୁ ଦୁର୍ଦ୍ଦଶା । ରାସ୍ତାଟିଏ ଅଭାବରୁ ଆଜି ବି ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି ଲୋକେ । ସେମିତି କିଛି ଘଟଣା ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ତେଲନଦୀ ପଞ୍ଚାୟତରୁ । ଏଠାରେ ଗୋଟିଏ ଗ୍ରାମରେ ପକ୍କା ରାସ୍ତାଟିଏ ନଥିବାରୁ ସ୍ବାସ୍ଥ୍ୟ କର୍ମଚାରୀମାନେ ଦୀର୍ଘ ୩ କିଲୋମିଟର ଚାଲି ଚାଲି ଯାଇ ସ୍ବାସ୍ଥ୍ୟସେବା ଯୋଗାଇଛନ୍ତି ।
ସୂଚନା ଅନୁଯାୟୀ, ଝରିଗାଁ ବ୍ଲକରେ ମିଶନ ଇନ୍ଦ୍ର ଧନୁସ କାର୍ଯ୍ୟକ୍ରମ ଚାଲିଛି । ଏହା ଅନ୍ତର୍ଗତ ଝରିଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ପକ୍ଷରୁ ତେଲନଦୀ ପଞ୍ଚାୟତର ବିଭିନ୍ନ ଉପାନ୍ତ ଗ୍ରାମରେ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ଏହି କ୍ରମରେ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଏକ ଟିମ୍ ପଞ୍ଚାୟତର ଚେପଟିଆମ୍ବା ଓ ଭାଲୁଡଙ୍ଗରି ଗାଁକୁ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଯିବାକୁ ବାହାରି ଥିଲେ । ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସୁପରଭାଇଜର ପରନ୍ନାଥ ମାଝୀ, ବିଭୁ ପ୍ରସାଦ ଉଲ୍ଲକା ଏବଂ ମହିଳା ସ୍ବାସ୍ଥ୍ୟକର୍ମୀ ଜଗବତୀ ମାଝୀ ଭାଲୁଡଙ୍ଗରି ଗ୍ରାମ ପର୍ଯ୍ୟନ୍ତ ଯେନତେନ ପ୍ରକାରେ ପହଞ୍ଚି ଥିଲେ । ହେଲେ ଭାଲୁଡଙ୍ଗରି ଗ୍ରାମ ଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଚେପଟିଆମ୍ବା ଗ୍ରାମକୁ ଯିବା ପାଇଁ କସରତ କରିବାକୁ ପଡିଥିଲା । ସେମାନେ ଦୀର୍ଘ ୩ କିଲୋମିଟର ମକା ଜମି ହିଡରେ ଚାଲି ଚାଲି ଔଷଧ ବୋହି ଗ୍ରାମରେ ପହଞ୍ଚିଥିଲେ । ଏହାପରେ ଭାଲୁଡଙ୍ଗରି ଗ୍ରାମରେ ୪ ଜଣ ଶିଶୁ ଏବଂ ଚେପଟିଆମ୍ବା ଗ୍ରାମରେ ୪ ଜଣ ଶିଶୁଙ୍କୁ ଟୀକାକରଣ କରିଥିବା ସୂଚନା ମିଳିଛି ।
ଏହାମଧ୍ୟ ପଢନ୍ତୁ: ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା: ସ୍ବାସ୍ଥ୍ୟକେନ୍ଦ୍ରରେ ନାହାନ୍ତି ଷ୍ଟାଫ, ଛାତରୁ ଖସୁଛି ପ୍ଲାଷ୍ଟର
ତେଲନଦୀ ପଞ୍ଚାୟତର ଭାଲୁଡଙ୍ଗରି ଏବଂ ଚେପଟିଆମ୍ବା ଗ୍ରାମକୁ ଯିବାକୁ ହେଲେ ତଳଚାଉରୀ ଗ୍ରାମ ଦେଇ ଯିବା ପାଇଁ ପଡେ । ତଲଚାଉରୀ ଠାରୁ ଭାଲୁଡଙ୍ଗରି ଗ୍ରାମ ପର୍ଯ୍ୟନ୍ତ ମାଟି ରାସ୍ତା ଶୋଚନୀୟ ହୋଇପଡିଛି । ସେହି ରାସ୍ତାରେ ଏକ ନାଳ ପଡୁଥିଲେ ହେଁ ସେଠାରେ ପୋଲଟିଏ ନିର୍ମାଣ ହୋଇନାହିଁ । ସେହିପରି ଭାଲୁଡଙ୍ଗରି ଗ୍ରାମ ଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଚେପଟିଆମ୍ବା ଗ୍ରାମକୁ ଯିବା ପାଇଁ ରାସ୍ତା ନାହିଁ କହିଲେ ଚଳେ । ଏଠାକୁ ମକା ଜମି ହିଡ ଦେଇ ଯିବା ପାଇଁ ପଡିଥାଏ । ହିଡ ରାସ୍ତାର ଉଭୟ ପାର୍ଶ୍ବରେ ମକା ଗଛ ଥିବାବେଳେ ଭାଲୁର ଭୟ ରହିଥାଏ । ଖରା ଓ ଶୀତ ଦିନମାନଙ୍କରେ ଯେକୌଣସି ପ୍ରକାରେ ଚେପଟିଆମ୍ବା ଗ୍ରାମବାସୀ ଯାତାୟତ କରୁଥିବା ବେଳେ ବର୍ଷା ଦିନରେ ଯାତାୟତ ଏକପ୍ରକାର ଠପ୍ ହୋଇଯାଏ ।
ବର୍ଷା ଦିନେ ରୋଗୀ ଏବଂ ଗର୍ଭବତୀ ମହିଳାମାନଙ୍କୁ ଖଟିଆ ଭରସା ହୋଇଥାଏ । ନାଳରେ ବର୍ଷା ପାଣି ଅଧିକ ହେଲେ ଭାଲୁଡଙ୍ଗରି ଏବଂ ଚେପଟିଆମ୍ବା ଗ୍ରାମବାସୀ ବାହ୍ୟ ଜଗତରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇଯାଆନ୍ତି । ଉଭୟ ଗ୍ରାମରେ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ନଥିବା ବେଳେ ତଳଚାଉରୀ ବିଦ୍ୟାଳୟ ଏବଂ କଚିଆସାହି ଅଙ୍ଗନବାଡ଼ି କେନ୍ଦ୍ର ଉପରେ ନିର୍ଭର କରନ୍ତି ଦୁଇ ଗ୍ରାମର ପିଲା । କିନ୍ତୁ ସେଠାକୁ ଯିବାକୁ ହେଲେ ଜଙ୍ଗଲ ପାହାଡ଼ ପାର୍ କରିବାକୁ ପଡୁଥିବାରୁ ଅନେକ ପିଲା ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି ମାଟି ମାଡ଼ୁ ନାହାନ୍ତି ।
କେବଳ ଏତିକି ନୁହେଁ, ଆଜିର ଇଣ୍ଟରନେଟ୍ ଯୁଗରେ ମଧ୍ୟ ଭାଲୁଡଙ୍ଗରି ଏବଂ ଚେପଟିଆମ୍ବା ଗ୍ରାମରେ ପ୍ରଶାସନ ପକ୍ଷରୁ ବିଦ୍ୟୁତ ସଂଯୋଗ ହୋଇପାରିନି । ଫଳରେ ସନ୍ଧ୍ୟା ହେଲେ ଦୁଇ ଗାଁରେ ତାଟି କବାଟ ବନ୍ଦ ହୋଇଯାଏ । ଡିବିରି ଆଲୁଅରେ ରାତି କାଟନ୍ତି ଲୋକେ । ଏମିତିରେ ପିଲାଙ୍କ ପାଠପଢା ନକହିବା ଭଲ । ତା' ଉପରେ ପୁଣି ରାତିରେ ଜଙ୍ଗଲୀ ଜନ୍ତୁ ଏବଂ ସରୀସୃପ ପ୍ରାଣୀମାନଙ୍କ ଭୟ ରହିଥାଏ । ସରକାରଙ୍କ ମାଳ ମାଳ ଯୋଜନା ଭିତରେ ବିକାଶଠୁ ଦୂରରେ ଥିବା ଏହି ଦୁଇ ଗାଁରେ ମୌଳିକ ସୁବିଧା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ଇଟିଭି ଭାରତ, ନବରଙ୍ଗପୁର