ନବରଙ୍ଗପୁର: ଠକ ଦମ୍ପତିଙ୍କୁ ଗିରଫ କରିଛି ଜିଲ୍ଲା ପୋଲିସ । ପ୍ରାୟ ୬୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକେଇ କରି ୨୦୧୭ ମସିହାରୁ ଫେରାର ଥିଲେ ସେମାନେ । ‘ଚିଟି ପାଟା’ ନାମକ ଏକ ଚିଟପଣ୍ଡ ସଂସ୍ଥା ମାଧ୍ୟମରେ ଜିଲ୍ଲାବାସୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ କରିଥିଲେ ଠକ ଦମ୍ପତି ବି. ମାଙ୍ଗା ଓ ତାଙ୍କ ସ୍ବାମୀ ବି. ଭେଙ୍କେଟ।
ସେମାନେ ସହରର ବିଭିନ୍ନ ଲୋକଙ୍କୁ ନେଇ ଏକ ୨୦ ଜଣିଆ ଗ୍ରୁପ ମାଧ୍ୟମରେ ଟଙ୍କା ଆଦାୟ କରୁଥିଲେ । ପ୍ରତି ମାସରେ ଗ୍ରୁପର ଜଣେ ସଦସ୍ୟଙ୍କୁ ଟଙ୍କା ପ୍ରଦାନ କରାଯାଉଥିଲା । ତେବେ ଏହିଭଳି ଚାଲୁଥିବା ସମୟରେ ୨୦୧୭ ମସିହାରେ ଗ୍ରୁପ ସଦସ୍ୟଙ୍କ ଠାରୁ ସମସ୍ତ ଟଙ୍କା ଆଦାୟ କରି ଦମ୍ପତ୍ତି ଦୁଇ ଜଣ ଫେରାର ହୋଇ ଯାଇ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଲୁଚି ରହିଥିଲେ।
ମାତ୍ର ଶୁକ୍ରବାର ଠକ ଦମ୍ପତ୍ତି ନବରଙ୍ଗପୁରକୁ କୌଣସି କାମରେ ଆସିଥିବା ବେଳେ, ଏହାର ସୁରାକ ପାଇ ଜିଲ୍ଲା ପୋଲିସ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ଅନ୍ୟପଟେ ଗିରଫ ଠକ ଦମ୍ପତ୍ତିଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ