ନବରଙ୍ଗପୁର: ରାଜ୍ୟର ଏକ ଅର୍ଥକାରୀ ଫସଲ ରୁପେ ବିଭିନ୍ନ ଜିଲ୍ଲାରେ ଚାଲିଛି ମକା ଅମଳ । ଖଳାରେ ଗଦା ହୋଇଛି କ୍ବିଣ୍ଟାଲ କ୍ବିଣ୍ଟାଲ ମକା । ଏସବୁ ମକା କ୍ଷେତରୁ ଆଣିବା ପରେ ବିକ୍ରୀ କରିବା ଲାଗି ପ୍ରସ୍ତୁତ ଚାଷୀ । କିନ୍ତୁ ସରକାରଙ୍କ ଉଦାସୀନତା ଓ ଆନ୍ତରିକତାର ଅଭାବ ଯୋଗୁଁ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ମକା ଚାଷୀ । ଆନ୍ତର୍ଜାତିକ ବଜାରରେ ନବରଙ୍ଗପୁର ଜିଲ୍ଲା ମକାର ରହିଛି ଢେର ଚାହିଦା । ମାତ୍ର ମକାଚାଷ କରି ଚାଷୀ କ୍ଷତି ସହୁଥିବା ଅଭିଯୋଗ ହେଉଛି । ସରକାରୀ ମୂଲ୍ୟ 1760 ଟଙ୍କା ଥିବାବେଳେ କମ ମୂଲ୍ୟରେ ମକା କିଣି ମାଲାମାଲ ହେଉଛନ୍ତି ଜିଲ୍ଲାର ବ୍ୟବସାୟୀ ।
ମୁଣ୍ଡ ଝାଳ ତୁଣ୍ଡରେ ମାରି ଧାର କରଜ କରିଥିବା ଚାଷୀ ମଣ୍ଡିରେ ନୁହେଁ ବରଂ ସ୍ଥାନୀୟ ବଜାରରେ ମକା ବିକ୍ରି କରୁଛନ୍ତି । ତେବେ ଜିଲ୍ଲାର 10ଟି ବ୍ଲକରେ ନିୟନ୍ତ୍ରିତ ବଜାର କମିଟି ମାଧ୍ୟମରେ ଗୋଦାମ ବ୍ୟବସ୍ଥା କରାଯାଇଛି । ଇ-ନାମ ମାଧ୍ୟମରେ ସମସ୍ତ ବେପାରୀ ମକା କିଣୁଥିବା ସୂଚନା ଦେଇଛନ୍ତି ନବରଙ୍ଗପୁର ଆରଏମସି ସମ୍ପାଦକ । ଚଳିତ ବର୍ଷ ମକାର ମୂଲ୍ୟ ସରକାରୀ ମୂଲ୍ୟ ଠାରୁ ଅଧିକ ରହିବା ନେଇ ସେ ଆଶା କରିଛନ୍ତି ।
ଏସିଆ ମହାଦେଶରେ ମକାଚାଷ ପାଇଁ ଦିନେ ସୁନାମ ଅର୍ଜ କରିଥିଲା ନବରଙ୍ଗପୁର, ହେଲେ ସରକାରଙ୍କ ଉଦାସୀନତା ଓ ଆନ୍ତରିକତାର ଅଭାବ ଯୋଗୁଁ ମକାଚାଷରୁ ମୁହଁ ଫେରାଉଛନ୍ତି ଚାଷୀ ।
ନବରଙ୍ଗପୁରରୁ ତପନ କୁମାର ବିଶୋୟୀ, ଇଟିଭି ଭାରତ