ନବରଙ୍ଗପୁର: ଶିକୁଳିରେ ବନ୍ଧାପଡିଛି ଜୀବନ । ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ 4 ବର୍ଷ ହେଲା ବନ୍ଦୀ ଭାବେ ଜୀବନ ବିତୁଛି । ଏପଟେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । କାହାରି ସହଯୋଗ ନାହିଁ କି ସରକାରୀ ସୁବିଧା ବି ନାହିଁ। ଦୂର ଦୂର ଯାଏଁ ପରିସ୍ଥିତି ସୁଧୁରିବାର ସମ୍ଭାବନା ମଧ୍ୟ ନାହିଁ । ଏ ହେଉଛି ନବରଙ୍ଗପୁର ପାପଡାହାଣ୍ଡି ବ୍ଲକ ବୁଟିଗୁଡା ଗାଁର ଭୋଳା ହରିଜନଙ୍କ ପରିବାରର କାହାଣୀ ।
ଘରର ଗୋଟିଏ ମାତ୍ର ବଡ ପୁଅ ନୀଳ ହରିଜନର ଜନ୍ମ ପରେ ସବୁ ଠିକ ଥିଲା,ସବୁ ପିଲାଙ୍କ ଭଳି ଖେଳିବା, ବୁଲିବା, ଖାଇବା,ପାଠ ପଢିବା କ୍ଷେତ୍ରରେ ଆଗରେ ରହୁଥିଲା ନିଳ। ଦଶମ ଶ୍ରେଣୀ ପର୍ଯ୍ୟନ୍ତ ନୀଳର ଆଚାର,ବ୍ୟବହାର ସବୁ ସ୍ୱାଭାବିକ ଥିଲା,ଦିନେ ନୀଳକୁ ଜ୍ୱର,ବାନ୍ତି ହୋଇଥିଲା । ଡାକ୍ତରଙ୍କୁ ଦେଖାଇବା ପରେ ଦେହ ଭଲ ସିନା ହୋଇଗଲା, କିନ୍ତୁ ଏହାପରେ ନୀଳର ବ୍ୟବହାରରେ ଧୀରେ ଧୀରେ ପରିବର୍ତ୍ତନ ହେବାକୁ ଲାଗିଲା । ସାହି ପଡ଼ିଶାରେ ଧାର ଉଧାର କରି ଭିଶାଖାପାଟଣା ସ୍ଥିତ ସରକାରୀ ଡାକ୍ତର ଖାନାକୁ ନେଇଯାଇଥିଲେ, ସେଠାରେ ଡାକ୍ତର ନୀଳକୁ ସବୁ ପରୀକ୍ଷା ନିରୀକ୍ଷା କରିବା ପରେ ନୀଳର ଭଲ ହେବାର ସମ୍ଭାବନା ନାହିଁ ବୋଲି ଡାକ୍ତର କହିଥିଲେ । ସେଦିନଠୁ ଆଜି ପର୍ଯ୍ୟନ୍ତ ଶିକୁଳିରେ ବନ୍ଧା ହୋଇରହିଛି ଗରିବ ବାପା,ମାଆର ଗୋଟିଏ ବୋଲି ବଡ ପୁଅ ନୀଳ ।
ପ୍ରଥମରୁ ଆର୍ଥିକ ଅନାଟନ ମଧ୍ୟରେ ବହୁ କଷ୍ଟରେ ଚାଲିଥିଲା ଜୀବନ। ଉପରେ ଘରର ଗୋଟିଏ ମାତ୍ର ପୁଅ ନିଳ ହରିଜନର ଏପରି ଅବସ୍ଥା । ଭୋଳାଙ୍କର ଗତ ଦୁଇ ମାସ ତଳେ ପେଟ ରୋଗ କାରଣରୁ ଅସ୍ତ୍ର ଉପଚାର କରାଯାଇଥିଲା । ସେଥିପାଇଁ ଭାରି କାମ କରିବାରେ ସକ୍ଷମ ନୁହଁନ୍ତି ସେ । ଘର ଚଳିବା ଯେତେବେଳେ କଷ୍ଟ ହୋଇଗଲା ସେତେବେଳେ ଭୋଳାଙ୍କ ପରିବାରର ଦୁଃଖ ଦେଖି ଗାଁର ଜଣେ ଲୋକ ତାଙ୍କ ଅଟୋକୁ ଭୋଳାଙ୍କୁ ଦେଇ ଅଟୋ ଚଲାଇ ପରିବାର ପ୍ରତିପୋଷଣ କରିବାକୁ କହିଥିଲା। ସେଦିନରୁ ଅଟୋ ଚଲାଇ ଯାହା ରୋଜଗାର ହୁଏ ସେଥିରୁ ଅଟୋ ସାହୁକାରକୁ ଅଧା ପଇସା ଦେବାପରେ ବଳକା ପଇସାରେ ବହୁ କଷ୍ଟରେ ପରିବାର ଚଳେ।
ଅନ୍ୟପଟେ ରହିବା ପାଇଁ ନା ଅଛି ଭଲ ଘର, ନା ଅଛି ପେନସନ, ନା ମିଳୁଛି ଭିନ୍ନକ୍ଷମ ଭତ୍ତା । ସରକାରୀ ଯୋଜନାର ଲାଭ କହିଲେ ପ୍ରତି ମାସରେ ମୁଣ୍ଡ ପିଛା ୫ କିଲୋ ହିସାବରେ ୨୫ କିଲୋ ଚାଉଳ। ନିଳର ଔଷଧ କିଣିବା ପାଇଁ ବି ସାମର୍ଥ୍ୟ ନାହିଁ। ଯଦି ଜିଲ୍ଲା ପ୍ରଶାସନ ନୀଳକୁ ଭିନ୍ନକ୍ଷମ ଭତ୍ତା ଦିଅନ୍ତି ତାହେଲେ ଅତି କମରେ ଔଷଧ ଖର୍ଚ୍ଚ ଉଠିଯାଇପାରନ୍ତା । ନୀଳ ହରିଜନ ଭଳି ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରି ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କଲେ ସରକାରୀ ଯୋଜନାର ପ୍ରକୃତ ଲକ୍ଷ ଓ ଉଦ୍ଦେଶ୍ୟ ପୂର୍ଣ୍ଣ ହୋଇପାରନ୍ତା ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ