ନବରଙ୍ଗପୁର: କୋରୋନାକୁ ହରାଇ ମା ଙ୍କ ଆର୍ଶୀବାଦ ପାଇଁ ନିଜ ଘରକୁ ଫେରିଲେ ସରପଞ୍ଚ । କ୍ବାରେଣ୍ଟାଇନରେ ୧୮ ଦିନ କଟାଇବା ପରେ ନିଜ ମା ଙ୍କ ଆର୍ଶୀବାଦ ନେବାକୁ ଘରକୁ ଫେରିଥିବାବେଳେ ପଞ୍ଚାୟତବାସୀ ଦେଲେ ଭବ୍ୟ ସମ୍ବର୍ଧନା । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ଗ୍ରାମ ପଞ୍ଚାୟତରେ ।
ସୂଚନାଥାଉକି ଗତ ୨୨ ତାରିଖ ଦିନ ନବରଙ୍ଗପୁର ଜିଲ୍ଲାର ପ୍ରଥମ କୋରୋନା ପଜିଟିଭ ବନ୍ଧକନା ଟିଏମସି ରୁ ଚିହ୍ନଟ ହୋଇଥିଲା । ସେହି ଦିନ ଠାରୁ ଉକ୍ତ କ୍ବାରେଣ୍ଟାଇନ୍ ସେଣ୍ଟରକୁ ଜିଲ୍ଲା ପ୍ରଶାସନ ତରଫରୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା । ଉକ୍ତ ଟିଏମସିରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ସହ ସରପଞ୍ଚ ହର ପୂଜାରୀ ଓ ପିଇଓ ରାଜେନ୍ଦ୍ର ସାହୁଙ୍କ ସମେତ ଚାରି ଜଣ ରୋଷେୟାଙ୍କୁ ସଂକ୍ରମିତ ବ୍ୟକ୍ତିଙ୍କ ସଂଷ୍ପର୍ଶରେ ଆସିଥିବା ସନ୍ଦେହ କରି ସଂଗରୋଧ କେନ୍ଦ୍ରରେ ରହିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା ।
ସରପଞ୍ଚ କୋଭିଡ ୧୯ ର ନିୟମକୁ ସମ୍ମାନ ଜଣାଇ ଅନ୍ୟ ୬୩ ଜଣ ପ୍ରବାସୀଙ୍କ ସହ ୧୮ ଦିନର ସଂଗରୋଧ କେନ୍ଦ୍ରରେ ରହିଥିଲେ । ଏହାର କିଛି ଦିନ ପରେ ଉକ୍ତ ଟିଏମସି କେନ୍ଦ୍ରରେ ପୁଣି ଏକ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ପୁଣି ଏହି କ୍ବାରେଣ୍ଟିନ୍ ସେଣ୍ଟରରେ ନିୟମ କଡା କଡି ହୋଇ ପୁନର୍ବାର ସମସ୍ତଙ୍କ ସ୍ବାବ ପରୀକ୍ଷା ପାଇଁ ଯାଇଥିବା ବେଳେ ସମସ୍ତଙ୍କ ନମୁନା ନେଗେଟିଭ ଆସିଥିଲା ।
ତେବେ କୋରୋନା ଯୋଦ୍ଧା ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିବା ପରେ ଚନ୍ଦାହାଣ୍ଡି ସରପଞ୍ଚ ସଂଘ ସଭାପତି ତଥା ପାଟଖଲିଆ ଯୁବ ସରପଞ୍ଚ ହର ପୂଜାରୀ ପ୍ରଥମରୁ ଟିଏମସି କେନ୍ଦ୍ରର ଯତ୍ନ ନେଉଥିଲେ । ଏହା ସହ ସେଠାରେ ପାନୀୟ ଜଳର ସୁବିଧା କରିବା ସାଙ୍ଗକୁ ନିଜେ ଫିନାଇଲ ବ୍ଲିଚିଙ୍ଗ ପକାଇ ସାନିଟାଇଜ କରିବା ସହ ପ୍ରବାସୀ ମାନଙ୍କ ନିମନ୍ତେ ଜଳପାନ ପ୍ରସ୍ତୁତ କରୁଥିଲେ । ସରପଞ୍ଚଙ୍କ ଏଭଳି ସାମାଜିକ କାର୍ଯ୍ୟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ସହ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ସହ ପ୍ରଶଂସା କରାଯାଇଛି । ବର୍ତ୍ତମାନ ସଂଗରୋଧ ଅବଧି ସରିଥିବାରୁ ସେ ନିଜ ଘରକୁ ଫେରିଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୟୀ, ଇଟିଭି ଭାରତ