ନବରଙ୍ଗପୁର : କୋରୋନାକୁ ପ୍ରତିହତ କରିବା ପାଇଁ ଅଣ୍ଟା ଭିଡ଼ିଛି ନବରଙ୍ଗପୁର ଜିଲ୍ଲା ପ୍ରଶାସନ । ଏନେଇ ଜିଲ୍ଲାପାଳ କାର୍ଯ୍ୟାଳୟରେ ଥିବା ମିଶନ ଶକ୍ତି କକ୍ଷରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଶାସନ ପକ୍ଷରୁ କୋରୋନାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି । ସମସ୍ତ ସରକାରୀ ସଭା ସମିତି କାର୍ଯ୍ୟକ୍ରମକୁ ବାତିଲ ମଧ୍ୟ କରାଯାଇଛି । ସାଧାରଣ ସ୍ଥାନରେ ୫ରୁ ଅଧିକ ବ୍ୟକ୍ତିଙ୍କୁ ଏକାଠି ରହିବା ପାଇଁ ବାରଣ କରିବା ସହିତ କୌଣସି ସାମାଜିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି । ଏହାସହ ବିଭିନ୍ନ ରାଲି ଓ ଶୋଭାଯାତ୍ରାକୁ ମଧ୍ୟ ବାରଣ କରାଯାଇଛି । ସମସ୍ତ କଲ୍ୟାଣମଣ୍ଡପର ହେବାକୁ ଥିବା ମାଙ୍ଗଳିକ ଓ ସଭସମିତିକୁ ନିଷିଦ୍ଧ ଘୋଷଣା କରାଯାଇଛି ।
କୋରୋନାକୁ ନେଇ ଗୁଜବ ପ୍ରଚାରକୁ ଗୁରୁତର ଅପରାଧ ଭାବେ ବିବେଚନା କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଏହା ସହିତ କୋରୋନା ଲକ୍ଷଣ ଦେଖାଦେଉଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ଚିକିତ୍ସିତ କରାଯିବା ସହିତ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ତୁରନ୍ତ ସୂଚନା ଦେବାପାଇଁ ଏକ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି । ତୃଣମୂଳ ସ୍ତରରେ ଏହି ସଚେତନତାର ବାର୍ତ୍ତା ଲୋକପ୍ରତିନିଧିଙ୍କ ଜରିଆରେ ପହଞ୍ଚାଇବା ପାଇଁ ପଞ୍ଚାୟତରାଜ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି ।
ଏନେଇ ଗୁରୁବାର ଏକ ସ୍ବତନ୍ତ୍ର ଗ୍ରାମ ପଞ୍ଚାୟତ ବୈଠକ ହେବାକୁ ଥିବାବେଳେ, ୨୦ରେ ସ୍ବତନ୍ତ୍ର ସମିତି ବୈଠକ ଓ ୨୧ରେ ସ୍ବତନ୍ତ୍ର ଜିଲ୍ଲା ପରିଷଦ ବୈଠର ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହାସହ ୧୪୪ ଧାରାକୁ ଖିଲାପକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା । ମାସ୍କ ଓ ସାନିଟାରୀର କୌଣସି କଳାବଜାରୀ କରୁଥିଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ସୂଚନା ଦେଇଛନ୍ତି ।
ସେହିଭଳି ପାପଡାହାଣ୍ଡି ଠାରେ ଥିବା ମୃଗ ବିହାରକୁ କୋରୋନା ସଂକ୍ରମଣରୁ ରୋକିବା ଲାଗି ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ପ୍ରଶାସନ ପକ୍ଷରୁ ମାଇକ ଯୋଗେ ବିଭିନ୍ନ ଛକ ଗୁଡିକରେ ଲୋକଙ୍କୁ ସଚେତନ କରାଯାଉଥିବାର ଦେଖିବାକୁ ମିଳିଥିଲା ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ