ନବରଙ୍ଗପୁର: ରବି ଋତୁ ଚାଲିଛି । ନବରଙ୍ଗପୁର ଚାଷୀଙ୍କ ମନରେ ଥିଲା ଅନେକ ଆଶା । ଏଥର ମକା ଫସଲ ଭଲ ହୋଇଛି । କଷ୍ଟ ଉପାର୍ଜିତ ଫସଲ ଦେଖି ପୁରିଯାଉଛି ପେଟ । ଅମଳ ହେବା ପରେ ବଜାରରେ ହେବ ବିକ୍ରି ।
ହେଲେ ଖୁସି ସହିପାରିଲାନି ଦଇବ । ଦାଉ ସାଧିଲା କୋରୋନା । ଅମଳ ପାଇଁ ଅଣ୍ଟା ଭିଡିଲା ବେଳକୁ ଲକଡାଉନ ଘୋଷଣା । ଆଉ ଅଟକିଗଲା ଅମଳ । କୃଷିକ୍ଷେତ୍ରରେ ନାହିଁ କଟକଣା । କିନ୍ତୁ ମିଳୁନାହାନ୍ତି ମୂଲିଆ । ସାମାଜିକ ଦୂରତା ଓ ସଂକ୍ରମଣ ଭୟରେ ମକା ଅମଳ ପାଇଁ ନାହାନ୍ତି ଲୋକେ । ଏହି ସମୟରେ ଅଦିନିଆ ବର୍ଷା ବିରି ଉପରେ କୋରଡା ମାଡ ସଦୃଶ ହୋଇଛି । କ୍ଷେତରେ ନଷ୍ଟ ହେଉଛି କ୍ବିଣ୍ଟାଲ କ୍ବିଣ୍ଟାଲ ମକା । ଏହା ହେଉଛି ଜିଲ୍ଲାର ମକା ଚାଷୀଙ୍କ ଦୁଃଖ କାହାଣୀ । କେବଳ ଏହି ଗୋଟିଏ ଜିଲ୍ଲା ନୁହେଁ ସାରା ରାଜ୍ୟର ମକା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇଛି କୋରୋନା ।
ନବରଙ୍ଗପୁରରେ ଅଧିକାଂଶ ଲୋକ ଚାଷ ଉପରେ ନିର୍ଭରଶୀଳ । ମକା ଭଳି ଅର୍ଥକାରୀ ଫସଲ କରି ଖରିଫ ଓ ରବି ଋତୁରେ ହୋଇଥାଏ ଲାଭଜନକ ବ୍ୟବସାୟ । କିନ୍ତୁ ଏବର୍ଷ କୋରୋନା ଓ ଲକଡାଉନ ମାଡରେ ସହିଛନ୍ତି ଅନେକ କ୍ଷତି । ମୂଲିଆ ବିନା ଜମିରେ ମକା ଚାଷକୁ ମିଳିଲାନି ଖତ ଓ ସାର । ଅମଳ ମକାକୁ କେମିତ ବିକ୍ରି କରିବ ଏବେ ସେନେଇ ଚିନ୍ତାରେ ଚାଷୀ । ଯେଉଁ ରବି ଋତୁରେ ଲାଭ ମିଳେ ଏଥରେ ସେସମୟରେ କ୍ଷତିଗ୍ରସ୍ତ ହୋଇଛି ଚାଷୀ l ବର୍ଷର ଏହି ସମୟରେ ବ୍ୟସ୍ତ ଭିତରେ ବି ଚାଷୀ ମୁହଁରେ ଥାଏ ହସ । ହେଲେ ଆଜି ସେ ଖାଲି ବସିବା ସହ ମୁହଁରେ ବିଷାଦର ଛାୟା । ଚାଷୀଙ୍କ ସହ ଏଥର ବେପାରୀ ବି ମୁଣ୍ଡରେ ଦେଇଛନ୍ତି ହାତ । ପରିବାର କେମିତି ଚଳିବ ସେନେଇ ଘାରିଛି ଚିନ୍ତା । ସରକାରଙ୍କ ସାହାଯ୍ୟକୁ ଅପେକ୍ଷା କରିବା ଛଡା ନାହିଁ ଅନ୍ୟ ଗତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ