ନବରଙ୍ଗପୁର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରଗରମ ହେଉଛି ନବରଙ୍ଗପୁର ଜିଲ୍ଲା ରାଜନୀତି। ଯାହାର ନମୁନା ଦେଖିବାକୁ ମିଳିଛି। କଂଗ୍ରେସ ନେତା କହ୍ନେୟା କୁମାର ଯେଉଁ ମଞ୍ଚରେ ସମ୍ବୋଧନ କରିଥିଲେ। ସେଥିରେ ଗଙ୍ଗାଜଳ ସିଞ୍ଚନକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି । ଏହି ଘଟଣାକୁ ନେଇ କଂଗ୍ରେସ କଡା ପ୍ରତିବାଦ କରିଛି ଏବଂ ଥାନାରେ ଏତଲା ଦାୟର କରିଛି ।
ଗତ ୨୭ ତାରିଖ ଦିନ ପ୍ରଦେଶ କଂଗ୍ରେସ କମିଟି ଗଠନ ଶତବାର୍ଷିକ ପୂରଣ ଅବସରରେ ନବରଙ୍ଗପୁର ସହର ଉପକଣ୍ଠ ହିର୍ଲି ଠାରେ କଂଗ୍ରେସ ସଂକଳ୍ପ ସମାବେଶ ଆୟୋଜନ କରିଥିଲା । ଏଥିରେ ଦେଶର ଦୁଇ କଂଗ୍ରେସ ନେତା କହ୍ନେୟା କୁମାର ଓ ଗୁଜୁରାଟ ଯୁବ ବିଧାୟକ ଜିଗ୍ନେଶ ମେୱାନୀ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଆକ୍ଷେପ କରିଥିଲେ । ସଭାସ୍ଥଳରେ କୌଣସି ଅପ୍ରୀତିକର ସୃଷ୍ଟି ହୋଇନଥିବାବେଳେ ରାତିରେ ଅକଳ୍ପନୀୟ ଘଟଣା ଘଟିଲା। କହ୍ନେୟା କୁମାର ଯୋଗୁଁ ସଭାସ୍ଥଳ ଅପବିତ୍ର ହେଲା ବୋଲି ଦର୍ଶାଇ ଦୁଇ ଜଣ ଯୁବକ ମଞ୍ଚରେ ଗଙ୍ଗାଜଳ ସିଞ୍ଚନ କରିଥିଲେ । ଏପରିକି କହ୍ନେୟା କୁମାରଙ୍କୁ ଦେଶଦ୍ରୋହ ଆଖ୍ୟା ଦେଇଥିଲେ।
ସଭାସ୍ଥଳକୁ ଶୁଦ୍ଧି କରଣ କରିବା ଭିଡ଼ିଓ ବେଶ ଭାଇରାଲ ହୋଇଥିଲା । ଭାଇରାଲ ଭିଡ଼ିଓରେ ସଂପୃକ୍ତ ଯୁବକ ଦ୍ବୟ ନିଜକୁ ନବରଙ୍ଗପୁର ସହରର ସଚେତନ ନାଗରିକ ବୋଲି ପରିଚୟ ଦେଉଛନ୍ତି । କହ୍ନେୟା କୁମାର ଜେ.ଏନ୍.ୟୁ ଛାତ୍ର ଥିବା ସମୟରେ ତଥାକଥିତ ଟୁକଡେ ଟୁକଡେ ଗ୍ୟାଙ୍ଗର ପ୍ରମୁଖ ସଦସ୍ୟ ରହି ନେତୃତ୍ବ ନେଇଥିଲେ । ଦେଶ ବିରାେଧୀ ନାରା ଦେଇଥିଲେ । ତେଣୁ କହ୍ନେୟା କୁମାରଙ୍କୁ ବିରୋଧ କରୁଥିବା ଦୁଇ ଯୁବକ ଦ୍ବୟ କହିଛନ୍ତି । ସେହିପରି କହ୍ନେୟାଙ୍କ ପାଦ ପଡିବାରୁ ନବରଙ୍ଗପୁର ମାଟି ଅପବିତ୍ର ହୋଇଗଲା । ତେଣୁ ପବିତ୍ରତା ଫେରାଇବା ପାଇଁ ଗଙ୍ଗାଜଳ ସିଞ୍ଚନ କରିଥିବା ଯୁକ୍ତି ଦର୍ଶାଇଛନ୍ତି । ସେମାନେ କୌଣସି ଦଳ ସହ ସଂପୃକ୍ତି ନ ଥିବା ପ୍ରକାଶ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ହ୍ନେୟା କୁମାର ଗଲା ପରେ ଗଙ୍ଗା ଜଳରେ ସଭାସ୍ଥଳ ଧୋଇଲା ହିନ୍ଦୁ ଏକତା ବାହିନୀ
ଅନ୍ୟପଟେ ସେଦିନ ରାତିର ଘଟଣାକୁ ନେଇ କଂଗ୍ରେସ କଡା ବିରୋଧ କରିଛି । କଂଗ୍ରେସ ପକ୍ଷରୁ ୩ ଜଣ ଯୁବକଙ୍କ ବିରୋଧରେ ନବରଙ୍ଗପୁର ଥାନାରେ ଏତଲା ଦିଆଯାଇଛି । ଏତଲାକୁ ଆଧାର କରି ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ