ନବରଙ୍ଗପୁର: କଥାରେ ଅଛି କ୍ଷେତ ହସିଲେ ଚାଷୀ ହସେ.. ଆଉ ଚାଷୀ ହସିଲେ ସାରା ଦୁନିଆ ହସେ । ଚତୁର୍ଦ୍ଦିଗ ସବୁଜିମାରେ ଭରପୂର । ସତେ ଯେମିତି ସବୁଜ ଓଢଣୀରେ ଢାଙ୍କି ହୋଇଛି ଧରିତ୍ରୀ ମାଆ । ଯାହାକି ପ୍ରକୃତରେ କୋବି ଚାଷର ସମ୍ଭାର । ଏଠାରେ ବର୍ଷ ତମାମ ହୁଏ କୋବି ଚାଷ । ସେଇଥିପାଇଁ ତ ଏହି ଗାଁରେ କୋବି ଚାଷ ସାଜିଛି ବଞ୍ଚିବାର ରାହା ।
ଆମେ କହୁଛୁ ନବରଙ୍ଗପୁର ଜିଲ୍ଲାର କଙ୍ଗରା ଗାଁ କଥା । ଗାଁରେ 400 ଘରର ପ୍ରାୟ 2500 ଲୋକ । ସମସ୍ତେ କୋବି ଚାଷକୁ ଅଧିକ ଗୁରୁତ୍ବ ଦିଅନ୍ତି । ନଦୀ ଓ ଉଠାଜଳସେଚନ ସୁବିଧା ଥିବାରୁ 80 ଏକର ଜମିରେ କରନ୍ତି କୋବି ଚାଷ । କମ ଖର୍ଚ୍ଚରେ ଅଧିକ ଲାଭ ମିଳୁଥିବାରୁ କଙ୍ଗରା କୋବିର ଚାହିଦା ବି ଢେର ଅଧିକ । ବର୍ଷ ବର୍ଷ ଧରି ଚାଷୀମାନେ କୋବି ଚାଷ କରି ଜୀବିକା ନିର୍ବାହ କରନ୍ତି ।
ବନ୍ଧା କୋବି ଓ ଫୁଲକୋବି ଲାଗି ବେଶ ସୁନାମ ଅର୍ଜନ କରିଛନ୍ତି କଙ୍ଗରା ଚାଷୀ । ନବରଙ୍ଗପୁର, ଇନ୍ଦ୍ରାବତୀ, ଜୟପୁର ଓ ମାଲକାନଗିରିକୁ କୋବି ରପ୍ତାନି କରି ବେଶ ଦୁଇ ପଇସା ବି ଲାଭ ପାଉଛନ୍ତି ଚାଷୀକୂଳ । 1 ଏକର ଜମି ପ୍ରତି ବାର୍ଷିକ 30 ହଜାର ଟଙ୍କା ଲାଭ ଦିଏ । ସାରା ଦେଶରେ ଚାଷୀକୂଳ ବିଭିନ୍ନ ସମସ୍ୟାର ସାମନା କରୁଥିବାବେଳେ ଏଠି କିନ୍ତୁ ଅଳ୍ପ ପୁଞ୍ଜିରେ ଅଧିକ ଲାଭ ପାଉଥିବାରୁ କୋବି ଚାଷକୁ ଛାଡିବାକୁ ନାରାଜ ଗାଁ ଲୋକେ ।
ତେବେ ଅନ୍ୟ ବର୍ଷ ତୁଳନାରେ ଏବର୍ଷ କିନ୍ତୁ କୋବିର ମୂଲ୍ୟ ବେଶ ଭଲ ରହିଛି । ଗାଁର ପ୍ରାୟ ସମସ୍ତେ କିଛି ନା କିଛି ଜମିରେ ବିନା ରାସାୟନିକ ସାରାରେ କୋବି ଚାଷ କରିବାକୁ ପସନ୍ଦ କରନ୍ତି । ସେ ଯାହା ହେଉନା ନା କାହିଁକି ଏହି ଗାଁର ଚାଷୀଙ୍କୁ ସରକାର ସାହାଯ୍ୟ କଲେ ରେକର୍ଡ ସଂଖ୍ୟକ କୋବି ଉତ୍ପାଦନ ବୃଦ୍ଧି ହେବ ବୋଲି ବିଶ୍ବାସ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭ।ରତ