ନବରଙ୍ଗପୁର: ତୃଣମୂଳ ସ୍ଥରରୁ ହକିକୁ ପ୍ରୋତ୍ସାହନ ଦେବାକୁ ସମସ୍ତ ୩୦ ଜିଲ୍ଲାରେ କ୍ରୀଡ଼ା ବିଭାଗ ଓ ହକି ପ୍ରମୋସନ କାଉନ୍ସିଲ ପ୍ରୟାସ ଆରମ୍ଭ କରିଛନ୍ତି । ନାଭାଲ ଟାଟା ହକି ଏକାଡେମୀର ସହଭାଗିତାରେ ସରକାର ବିଭିନ୍ନ ଜିଲ୍ଲାରେ ହକି ପ୍ରଶିକ୍ଷଣ ଆରମ୍ଭ କରିଛନ୍ତି । ଏହି କ୍ରମରେ ନବରଙ୍ଗପୁର ଜିଲ୍ଲାର କୋଡ଼ିଙ୍ଗା ଏସ୍.ଡି ହାଇସ୍କୁଲରେ ନଭାଲ ଟାଟା ହକି ଏକାଡେମୀ ପକ୍ଷରୁ ଏକ ହକି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା ।

ପ୍ରଥମ ଥର ପାଇଁ ଏହି ଉପାନ୍ତ ଅଞ୍ଚଳରେ ଏଭଳି ପ୍ରିଶିକ୍ଷଣ ଶିିବିର ଆୟୋଜିତ ହୋଇଥିଲା । ଏଥିରେ ସ୍ଥାନୀୟ ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଏହି ହକି ଶିବିରରେ ପିଲାଙ୍କୁ ଖେଳର ବିଭିନ୍ନ ନିୟମ ଶିଖାଇବା ସହ ଏହି ଖେଳ ଖେଳିବା ପାଇଁ ଉତ୍ସାହିତ କରାଯାଇଥିଲା । ପରେ ବାଳକ ଓ ବାଳିକାଙ୍କ ମଧ୍ୟରେ ଦୁଇଟି ଅଲଗା ଅଲଗା ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ ଖେଳାଯାଇଥିଲା ।


ଆୟୋଜିତ ହକି ଶିବିରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମସ୍ଥିତ ନାଭାଲ ଟାଟା ହକି ଏକାଡେମୀର ଅଧିକାରୀ ଶେଖର ଚନ୍ଦ୍ର ବେହେରା, ଜିଲ୍ଲା କ୍ରୀଡ଼ା ଅଧିକାରୀ ମହେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅଞ୍ଚଳର ଆଦିବାସୀ ପିଲାଙ୍କ ମଧ୍ୟରେ ହକି ଖେଳିବା ପାଇଁ ସମସ୍ତ ଦକ୍ଷତା ରହିଛି । ତେବେ ସେମାନଙ୍କୁ ପ୍ରୋତ୍ସାହନ, ସଠିକ ପ୍ରଶିକ୍ଷଣ ଦିଆଗଲେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପିଲା ନାଁ କରି ପାରିବେ ବୋଲି ନାଭାଲ ଟାଟା ହକି ଏକାଡେମୀର ଅଧିକାରୀ କହିଛନ୍ତି । ସ୍ଥାନୀୟ ଅଞ୍ଚଳର ସମାଜସେବୀ ଅଭିଳାଷ ପାଣିଗ୍ରାହୀଙ୍କ ସମେତ ବ୍ଲକର ସମସ୍ତ ସ୍କୁଲର କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀ ଏହି ପ୍ରଶିକ୍ଷଣ ଶିବିରକୁ ପରିଚାଳନା କରିଥିଲେ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ