ନବରଙ୍ଗପୁର: ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ସୁରକ୍ଷାକର୍ମୀଙ୍କ ବସ୍ ଓଲଟିବା ଘଟଣା । ଏଥିରେ ପ୍ରାଣ ହରାଇଥିବା ୩ ଗ୍ରାମରକ୍ଷୀଙ୍କ ପରିବାରକୁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ନିଜ ଅଞ୍ଚଳର ତହସିଲଦାରଙ୍କ ମାଧ୍ୟମରେ ଜିଲ୍ଲା ରେଡ଼କ୍ରସରୁ ମୃତକଙ୍କ ପରିବାରକୁ କୋଡିଏ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦିଆଯାଇଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ପୋଲିସ ଅଧିକାରୀମାନେ ହେଲେ ଇନ୍ଦ୍ରାବତୀର ରବି ବିଷୋୟୀ, ନବରଙ୍ଗପୁରର ସେଶା ରାଓ ଓ ଡଙ୍ଗର ଭେଜାର ଜଗବନ୍ଧୁ ଗୌଡ।
ଉଲ୍ଲେଖଯୋଗ୍ୟ, ଆସନ୍ତାକାଲି(ରବିବାର) ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗ୍ରାମରକ୍ଷୀଙ୍କୁ ନେଇ ଯାଉଥିବା ବସ୍ ପାପଡ଼ାହାଣ୍ଡି ବ୍ଲକର ସୋରିଷପଦର ତଣ୍ଡାଗୁଡ଼ା ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏକ ବୁଲାଣି ନିକଟରେ ବସ୍ ଚାଳକ ଭାରସାମ୍ୟ ହରାଇବାରୁ ଗାଡିଟି ରାସ୍ତାକଡକୁ ଓଲଟି ପଡିଥିଲା । ଫଳରେ ବସ୍ ତଳେ ଚାପି ହୋଇ ସମ୍ପୃକ୍ତ ୩ ଜଣ ଗ୍ରାମରକ୍ଷୀ ପ୍ରାଣ ହରାଇଥିଲେ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ