ବାରିପଦା: ଲକଡାଉନ ପାଇଁ ଚିନ୍ତାରେ ମୟୂରଭଞ୍ଜ ଜିଲ୍ଲାର ପରିବା ଚାଷୀ । ପରିବା ଚାଷୀଙ୍କୁ ମିଳିନି ଉପଯୁକ୍ତ ବଜାର ସୁବିଧା । ଲକଡାଉନରେ କେମିତି ରହିଛି ପରିବା ଚାଷୀଙ୍କ ଅବସ୍ଥା,ଆସନ୍ତୁ ଦେଖିବା ଇଟିଭି ଭାରତର ସ୍ପେଶାଲ ରିପୋର୍ଟ ।
କୋରୋନା ସଂକ୍ରମଣ ରୋକିବାକୁ ସରକାର ଲକଡାଉନ ଘୋଷଣା କରିଛନ୍ତି । ଲକଡାଉନ ସମୟରେ ଅନେକ ପରିବା ଚାଷୀ ବଜାର ଦର ନ ପାଇ ଚିନ୍ତାରେ । ଲକଡାଉନ ପାଇଁ ଅସୁବିଧାର ସମ୍ମୁଖୀନ ହେବା ସହ କ୍ଷତି ସହୁଛନ୍ତି ପରିବା ଚାଷୀ । ବଜାର ବନ୍ଦ ସହ ଗାଡି ମୋଟର ବନ୍ଦ ଯୋଗୁଁ ଚାଲାଣ ହୋଇ ନ ପାରି ଗଛରେ ପାଚୁଛି ପରିବା । ଏବେ ଲକଡାଉନ କୋହଳ ହୋଇଥିଲେ ବି ବାହାର ରାଜ୍ୟକୁ ପରିବା ଯାଇ ପାରୁ ନ ଥିବାରୁ ଚାଷିଙ୍କୁ ମିଳୁନି ଉଚିତ ମୂଲ୍ୟ । ମୁଣ୍ଡ ଝାଳ ତୁଣ୍ଡରେ ମାରି ଦୁଇ ପଇସା ଅଧିକ ପାଇବା ଆଶାରେ ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ । ପରିବା ଚାଷ ପାଇଁ ଖର୍ଚ୍ଚ କରିଥିବା ଟଙ୍କା ଆଦାୟ କରି ପାରୁନି ଚାଷୀ ।
ମୟୂରଭଞ୍ଜ ଜିଲ୍ଲାର ବୁଢ଼ାବଳଙ୍ଗ, ଜମ୍ଭୀରା, ଗଙ୍ଗାହାର ନଦୀ କୂଳରେ ପରିବା ଚାଷୀ ମାନେ ବର୍ଷ ତମାମ ନିଜ ପରିବା ବାଡ଼ିରେ ବାଇଗଣ, ପୋଟଳ, ଜହ୍ନି, କାକୁଡି, ଲଙ୍କା, ଶାଗ, କଲରା, କ୍ୟାପ୍ସିକମ ସହ ଅନ୍ୟାନ୍ୟ ପନିପରିବା ଚାଷ କରି ନିଜ ଗୁଜୁରାଣ ମେଣ୍ଟାଇଥାନ୍ତି । ତେବେ ଲକଡାଉନ ସମୟରେ ପନିପରିବା ବଜାରରେ ବିକ୍ରି ନ ହେବା ଫଳରେ ଅନେକ ପରିବା ଗଛରେ ପାଚି ଯାଇଥିବା ଦେଖିବାକୁ ମିଳିଛି । ୫୦ ଟଙ୍କାର ପରିବାକୁ ୫ ଟଙ୍କାରେ ବିକ୍ରି କରିବା ପାଇଁ ବାଧ୍ୟ ହୋଇଛନ୍ତି ଚାଷୀ । ଲକ ଡାଉନ ସହ ବାତ୍ୟା ଅମ୍ପାନ ବି ଉଜାଡି ଦେଇଛି ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ।
ଏଭଳି ସମୟରେ ପରିବା ଚାଷୀଙ୍କ ସମସ୍ୟାକୁ ନେଇ ଆମ ସମ୍ବାଦଦାତା ମୟୁରଭଞ୍ଜ ଜିଲ୍ଲା ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକଙ୍କୁ ଭେଟିଥିଲେ । ତେବେ ଚାଷୀଙ୍କ ସମସ୍ୟା ସମ୍ପର୍କରେ କ୍ୟାମେରା ସାମ୍ନାରେ କିଛି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ ଉପନିର୍ଦ୍ଦେଶକ । ତେବେ ମୟୁରଭଞ୍ଜ ଜିଲ୍ଲାର ପରିବା ଚାଷୀ ଏବେ ସରକାରୀ ସହାୟତାକୁ ଚାହିଁ ବସିଥିବା ବେଳେ ସରକାର ପରିବା ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତିଙ୍କ ରିପୋର୍ଟ,ଇଟିଭି ଭାରତ