ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳର ଚର୍ଚ୍ଚିତ ଡବଲ ମର୍ଡର ଘଟଣାରେ ଦୁଇ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ । ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍(୧) କୋର୍ଟରେ ଜମିଜମା ଗଣ୍ଡଗୋଳକୁ ନେଇ ଡବଲ ମର୍ଡର ମାମଲାର ରାୟ ପ୍ରକାଶ ପାଇଛି । ବିଚାରପତି ସୁରେଶ ଚନ୍ଦ୍ର ପ୍ରଧାନ ଏହାର ବିଚାର କରି ଦୁଇ ଜଣ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଉଭୟଙ୍କୁ ଆଜୀବନ କାରାଦଣ୍ଡର ଦଣ୍ଡିତ କରିଛନ୍ତି । ଏଥି ସହିତ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଥିବା ବେଳେ ଜରିମାନା ଅନାଦେୟ ଅଧିକ ୬ ମାସ ଲେଖାଏଁ ଅଧିକ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ ରହିଛି । ସମସ୍ତ ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଓ ପୋଲିସର ତଦନ୍ତ ରିପୋର୍ଟକୁ ଭିତ୍ତି କରି କୋର୍ଟର ବିଚାରପତି ରାୟ ଶୁଣାଣି କରିଛନ୍ତି ।
ଅତିରିକ୍ତ ପିପି କୃଷ୍ଣଚନ୍ଦ୍ର ଦାସ କହିଛନ୍ତି, "ଦୋଷୀ ସାବ୍ୟସ୍ତ ହୋଇଥିବା ଦୁଇ ଜଣ ହେଉଛନ୍ତି, ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ହରିଣଖୁଣ୍ଟା କେସୁରା ଗ୍ରାମର କିଶୁନ ମାରାଣ୍ଡି ଓ ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଖଇରବଣି ଗ୍ରାମର ମଙ୍ଗଲ ବାସ୍କେ । ବିଚାର ସମୟରେ ପ୍ରମାଣ ଅଭାବରୁ ଅନ୍ୟ ଜଣେ ଅଭିଯୁକ୍ତ ଡାଙ୍ଗୀ ମାରାଣ୍ଡିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟର ବିଚାରପତି । ଉକ୍ତ ମାମଲାକୁ ଅତିରିକ୍ତ ସରକାରୀ ଆଇନଜୀବୀ କୃଷ୍ଣଚନ୍ଦ୍ର ଦାସ ପରିଚାଳନା କରୁଥିଲେ । ରାୟ ପ୍ରକାଶ ପାଇବା ପରେ ଦୁଇ ଅଭିଯୁକ୍ତଙ୍କୁ ବାରିପଦା ମଣ୍ଡଳ କାରାଗାର ପଠାଇ ଦିଆଯାଇଛି ।"
ସୂଚନାଯୋଗ୍ୟ ଯେ, ଜମିଜମା ବିବାଦ ନେଇ ପୂର୍ବରୁ କିଶୁନ ମାରାଣ୍ଡି, ମଙ୍ଗଲ ବାସ୍କେ, ଡାଙ୍ଗୀ ମାରାଣ୍ଡିଙ୍କ ସହିତ କିସୁନ ମାରାଣ୍ଡିଙ୍କ ଝଗଡା ଲାଗି ରହିଥିଲା । ବୈଶିଙ୍ଗା ଥାନା ଅନ୍ତର୍ଗତ ହରିଣଖୁଣ୍ଟା କେସୁରା ଗ୍ରାମର କିସୁନ ମାରାଣ୍ଡି ୨୦୧୪ ମସିହା ଜୁଲାଇ ମାସ ୩୧ ତାରିଖରେ ସକାଳ ସମୟରେ ଜମିକୁ ଦେଖିବାକୁ ଯାଇଥିଲେ । ଉକ୍ତ ସମୟରେ କିଶୁନ ମାରାଣ୍ଡି, ମଙ୍ଗଲ ବାସ୍କେ ଓ ଡାଙ୍ଗୀ ମାରାଣ୍ଡିଙ୍କ ସହିତ ପୂର୍ବର ଜମି ମାମଲାକୁ ନେଇ କିସୁନଙ୍କ ସହିତ ବଚସା କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ୩ ଜଣ କିସୁନ ଓ ତାଙ୍କ ପତ୍ନୀଙ୍କୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ବୀଭତ୍ସ ଭାବେ ହତ୍ୟା କରିଥିଲେ ।
ଉକ୍ତ ଘଟଣାକୁ ନେଇ ବୈଶିଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ ହେବା ପରେ ବୈଶିଙ୍ଗା ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ବୈଶିଙ୍ଗା ଥାନାରେ ପୋଲିସ କେସ ନମ୍ବର ୧୪୫/୨୦୧୪ରେ ଏକ ମାମଲା ରୁଜୁ କରି ଏହି ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି ବାରିପଦା କୋର୍ଟ ଚାଲାଣ କରିଥିଲା । ସମସ୍ତ ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଓ ପୋଲିସର ତଦନ୍ତ ରିପୋର୍ଟକୁ ଭିତ୍ତି କରି କୋର୍ଟର ବିଚାରପତି ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଆଜୀବନ କରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
ଇଟିଭି ଭାରତ, ରାଇରଙ୍ଗପୁର