ବାରିପଦା/ଭଦ୍ରକ: ଗାଁ ମୁଣ୍ଡ ଜଙ୍ଗଲରୁ ଜଣେ ବ୍ୟକ୍ତିର ଝୁଲନ୍ତା ମୃତଦେହ ଉଦ୍ଧାର । ଏହି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଉଦଳା ଥାନା ବୈରାଟପୁରରେ । ତେବେ ଏହା ହତ୍ୟା କି ଆତ୍ମହତ୍ୟା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ସେହିପରି ଭଦ୍ରକ ବାସୁଦେବପୁର ବ୍ଲକ ଅନ୍ତର୍ଗତ ବିନାୟକପୁରରେ ଜଣେ ଯୁବକଙ୍କ ଆତ୍ମହତ୍ଯା । ଝୁଲନ୍ତା ଅବସ୍ଥାରେ ଘର ଭିତରୁ ମୃତଦେହ ଉଦ୍ଧାର ହୋଇଛି ।
ମୟୂରଭଞ୍ଜ ବୈରାଟପୁର ଗାଁର କିଛି ଲୋକ ଗାଁ ମୁଣ୍ଡ ଜଙ୍ଗଲରେ ଥିବା ଏକ ଜାମୁକୋଳି ଗଛରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଝୁଲୁଥୁବା ଦେଖିଥିଲେ । ସଙ୍ଗେସଙ୍ଗେ ଉଦଳା ପୋଲିସକୁ ଗ୍ରାମବାସୀ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଘଟଣା ସମ୍ପର୍କରେ ଖବର ପାଇ ସୁନା ସିଂଙ୍କ ପରିବାର ଲୋକେ ପହଞ୍ଚି ମୃତଦେହ ଚିହ୍ନଟ କରିଛନ୍ତି । ମୃତକ ଜଣକ ଉଦଳା ଥାନା ଅନ୍ତର୍ଗତ ଡିମ ଗଡ଼ିଆ ଗ୍ରାମର ସୁନା ସିଂ ବୋଲି ଜଣାପଡିଛି । ଗତ କିଛିଦିନ ହେବ ପାରିବାରିକ ସମସ୍ୟାକୁ ନେଇ ସୁନା ସିଂ ମାନସିକ ଚାପରେ ଥିବା ପରିବାର ଲୋକେ କହିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହୋଇନାହିଁ ।
ସେହିପରି ଭଦ୍ରକ ବାସୁଦେବପୁର ବ୍ଲକ ଅନ୍ତର୍ଗତ ବିନାୟକପୁରରେ ଜଣେ ଯୁବକଙ୍କ ଆତ୍ମହତ୍ଯା । ସୂଚନାନୁଯାୟୀ ବିନାୟକପୁରର ନବ ଜେନାଙ୍କ ପୁଅ ରଘୁନାଥଙ୍କୁ ଝୁଲନ୍ତା ଅବସ୍ଥାରେ ଘର ଭିତରେ ପରିବାର ଲୋକେ ଦେଖିବାକୁ ପାଇଥିଲେ । ଏହାପରେ ତୁରନ୍ତ ତାଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପାରିବାରିକ କଳହକୁ କେନ୍ଦ୍ର କରି ରଘୁନାଥ ବେକରେ ଦୌଡି ଲଗାଇ ଆତ୍ମହତ୍ଯା କରିଥିବା ଜଣାପଡିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ଓ ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ