ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ଗଣପର୍ବ ମକର ସଂକ୍ରାନ୍ତି ଉପଲକ୍ଷେ ଜିଲ୍ଲାର ବିଭିନ୍ନ ସ୍ଥାନରେ କୁଡୁମୀ ସମ୍ପ୍ରଦାୟର ପ୍ରସିଦ୍ଧ ଟୁସୁ ମେଳାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ସମଗ୍ର ଜିଲ୍ଲା। ଆଦିମ ଜନଜାତି କୁଡୁମୀ ସମ୍ପ୍ରଦାୟର ଲୋକେ ବେଶ ଧୁମଧାମରେ ଏହି ପର୍ବ ପାଳନ କରୁଥିବା ବେଳେ ବିଭିନ୍ନ ସ୍ଥାନରେ ଟୁସୁ ମେଳାର ଆୟୋଜନ ମଧ୍ୟ ଦେଖିବାକୁ ମିଳିଛି। ଏହି ପର୍ବରେ କୁଡୁମୀ ସମ୍ପ୍ରଦାୟର କୁଆଁରୀ କନ୍ୟାମାନଙ୍କୁ ବେଶ ଗୁରୁତ୍ବ ଦିଆଯାଇଥାଏ।
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ, ମୟୂରଭଞ୍ଜ ଜିଲ୍ଲା । ଏଠି ବାର ମାସରେ ତେର ପର୍ବ। ସେଥିମଧ୍ୟରୁ କୁଡୁମୀ ସମ୍ପ୍ରଦାୟର ମକର ପର୍ବ ଉପଲକ୍ଷେ ଟୁସୁ ମେଳା ଅନ୍ୟତମ। ପୌଷ ଓ ମାଘ ମାସର ମଧ୍ୟବର୍ତ୍ତୀ ଦିନରେ ପଡୁଥିବା ମକର ସଂକ୍ରାନ୍ତି ଦିନରୁ ଜିଲ୍ଲାର କୁଡୁମୀ ସମ୍ପ୍ରଦାୟର ଲୋକେ ଧୁମଧାମରେ ପାଳନ କରୁଥିବା ମକର ପର୍ବ ଏବଂ ତାସହିତ ଟୁସୁ ପୂଜା ଓ ଟୁସୁ ମେଳା ବେଶ ଖ୍ୟାତି ଅର୍ଜନ କରିଛି।
କିମ୍ବଦନ୍ତୀ ଅନୁସାରେ ମକର ସଂକ୍ରାନ୍ତି ଦିନ ଏକ ମୁସଲମାନ ଶାସକର ଲୋଲୁପ ଦୃଷ୍ଟିରୁ ନିଜର ସତୀତ୍ବ ରକ୍ଷା କରିବାକୁ ଯାଇ ଟୁସୁ ନାମ୍ନୀ ରାଜକୁମାରୀ ନଦୀକୁ ଡେଇଁ ପ୍ରାଣତ୍ୟାଗ କରିଥିଲେ। ଆତ୍ମ ସମ୍ମାନ ରକ୍ଷା ପାଇଁ ଏହି ବଳିଦାନର ସ୍ମୃତିରେ କୁଡୁମୀ ସମ୍ପ୍ରଦାୟର ଲୋକେ ଟୁସୁକୁ ଦେବୀ ରୂପେ ପୂଜା କରିବା ସହିତ କୁଆଁରୀମାନେ ନିଜର ସମ୍ମାନ ଗୁରୁତ୍ବପୂର୍ଣ ବୋଲି ପ୍ରତିପାଦିତ କରିଥାନ୍ତି। ଏନେଇ ବିଭିନ୍ନ ସ୍ଥାନରେ ହେଉଥିବା ପାରମ୍ପରିକ ଟୁସୁ ମେଳାରେ ମାଦଳର ତାଳେ ତାଳେ ନାଚଗୀତ ଓ ମାଙ୍କଡ ନାଚ ଆଦି ନିଆରା ପରମ୍ପରା ଦେଖିବାକୁ ମିଳିଥାଏ।
କେବଳ ସେତିକି ନୁହେଁ ପୁଅ ଝିଅମାନେ ଟୁସୁ ଦେବୀଙ୍କୁ ସୁନ୍ଦର ଭାବରେ ସଜେଇ ପାରମ୍ପରିକ ଗୀତ ଗାଇ ଘରକୁ ଘର ବୁଲେଇବା ସହିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥାନ୍ତି। ପାଖାପାଖି ମାସେ ପର୍ଯ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ପାଳନ କରା ଯାଇଥାଏ ଏହି ନାରୀ ଭିତ୍ତିକ ପର୍ବ । ଯେଉଁଥିରେ ଟୁସୁ ମେଢ ନେଇ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ ସହିତ ପୁରସ୍କାର ବିତରଣ ମଧ୍ୟ ହୋଇଥାଏ। ସେପଟେ ଏହାକୁ ଉପଭୋଗ କରିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶହ ଶହ ଲୋକେ ଛୁଟି ଆସିଥାନ୍ତି ଏଠାକୁ ।
ବର୍ତ୍ତମାନ ନାରୀମାନଙ୍କ ସୁରକ୍ଷାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ସଚେତନତାର ଅଭାବରୁ ନାରୀମାନଙ୍କ ଉପରେ ନିର୍ଯ୍ୟାତନା ବୃଦ୍ଧି ପାଇବାରେ ଲାଗିଛି। ଏନେଇ ସରକାରୀସ୍ତରରେ କଡାକଡି ଭାବେ ନାରୀ ନିର୍ଯ୍ୟାତନା ପାଇଁ ନିୟମ କାନୁନ ପ୍ରଣୟନ କରାଯାଇଥିଲେ ସୁଦ୍ଧା ନାରୀମାନଙ୍କ ପ୍ରତି ଦୁର୍ବ୍ୟବହାର, ନିର୍ଯ୍ୟାତନା ଓ ଦୁଷ୍କର୍ମ ଆଦି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ବିଚାର କଲେ ଟୁସୁ ପର୍ବ ପାଳନ ବହୁତ ଗୁରୁତ୍ବ ବହନ କରେ ।
ବାସ୍ତବରେ କାହିଁ କେଉଁ ଦିନରୁ ପାଳିତ ହୋଇ ଆସୁଥିବା ଏହି ଟୁସୁ ପର୍ବର ତାତ୍ପର୍ଯ୍ୟକୁ ଅନୁଶୀଳନ କଲେ ଏହି ପର୍ବ ମାଧ୍ୟମରେ ନାରୀ ସମାଜ ପ୍ରତି ଅସାମାଜିକଙ୍କ ବିରୋଧରେ ଏକ ସ୍ପଷ୍ଟ ପ୍ରତିବାଦ ପରି ମନେ ହୁଏ ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ