ମୟୂରଭଞ୍ଜ: ମୟୂରଭଞ୍ଜକୁ ଏକ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି କଲେ ଆଦିବାସୀ ଯୁବଗୋଷ୍ଠୀ । ଏହି ଦାବିକୁ ନେଇ ଆଦିବାସୀ ଯୁବକମାନେ ମୟୂରଭଞ୍ଜରୁ ଦିଲ୍ଲୀ ପର୍ଯ୍ୟନ୍ତ ୧୫୦୦ କିଲୋମିଟର ପଦଯାତ୍ରା କରିବେ । ଏହି ପଦଯାତ୍ରାରେ ଯୁବକମାନଙ୍କ କୌଣସି ରାଜନୈତିକ କି ନିଜସ୍ବ ସ୍ବାର୍ଥ ନାହିଁ ବୋଲି କହିଛନ୍ତି । ମୟୂରଭଞ୍ଜକୁ ଓଡ଼ିଶାଠାରୁ ଅଲଗା କରିବା ଝାଡଖଣ୍ଡ ଏବଂ ଛତିଶଗଡ଼ ପରି ଏକ ପୃଥକ ରାଜ୍ୟରେ ପରିଣତ କରିବା ଏହି ଯାତ୍ରାର ଉଦ୍ଦେଶ୍ୟ ଥିବା ଯୁବଗୋଷ୍ଠୀ ସୂଚନା ଦେଇଛନ୍ତି ।
ଦିଲ୍ଲୀ ଅଭିମୁଖେ ପଦଯାତ୍ରାରେ ବାହାରିଥିବା ଆଦିବାସୀ ଯୁବକମାନେ ବର୍ତ୍ତମାନ ଝାଡ଼ଖଣ୍ଡର ଲାତେହାରରେ ପହଞ୍ଚିଛନ୍ତି । ହାତରେ ତ୍ରୀରଙ୍ଗା ଧରି ପଦଯାତ୍ରାରେ ବାହାରିଥିବା ଆଦିବାସୀ ଯୁବକମାନେ କହିଛନ୍ତି, "ସ୍ବତନ୍ତ୍ର ମୟୂରଭଞ୍ଜ ରାଜ୍ୟ ଦାବିକୁ ନେଇ ଆମେ ରାଷ୍ଟ୍ରପତି ଦ୍ରୌପଦୀ ର୍ମୁର୍ମୁଙ୍କୁ ଭେଟିବାକୁ ଦିଲ୍ଲୀ ଯାଉଛୁ । ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ କରିବା ସହ ମୟୂରଭଞ୍ଜକୁ ପୃଥକ ରାଜ୍ୟରେ ପରିଣତ କରିବା ପାଇଁ ନିବେଦନ କରିବୁ । ମୟୂରଭଞ୍ଜକୁ ଏକ ସ୍ବତନ୍ତ୍ର ରାଜ୍ୟ କରିବା ଦାବି ଆଜିର ନୁହେଁ , ଆନ୍ଦୋଳନ କ୍ରମାଗତ ଭାବେ ଚାଲିଛି ଏବଂ ଏହି ପଦଯାତ୍ରା ଆନ୍ଦୋଳନର ଅଂଶମାତ୍ର ।"
ସୁଖଲାଲ ମାରାଣ୍ଡି ଆହୁରି କହିଛନ୍ତି, "ଏହି କ୍ଷେତ୍ର ସମ୍ପୂର୍ଣ୍ଣ ଖଣିଜ ସମ୍ପଦରେ ଭରପୂର । ଏହାସତ୍ତ୍ୱେ ଆଜି ପର୍ଯ୍ୟନ୍ତ ରେଳ ଲାଇନର ସୁବିଧା ଏଠାରେ ଉପଲବ୍ଧ ହୋଇନାହିଁ । ଆଦିବାସୀଙ୍କୁ ବଢ଼ିବା ପାଇଁ କୌଣସି ଭିତ୍ତିଭୂମି ପ୍ରଦାନ କରୁନାହାଁନ୍ତି ସରକାର । ନା ଉଚ୍ଚ ଶିକ୍ଷାର ସୁବିଧା ନା ଦକ୍ଷତା ବୃଦ୍ଧି କରିବାର କିଛି ସାଧନ ମିଳୁଛି । ଅନେକ ଦକ୍ଷ ଖେଳାଳି ନିଜ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଉ ନାହାଁନ୍ତି । ସେଥିପାଇଁ ସେମାନେ ମୟୂରଭଞ୍ଜକୁ ଏକ ଅଲଗା ରାଜ୍ୟ କରିବାକୁ ଦାବି କରୁଛନ୍ତି । ବର୍ତ୍ତମାନ ମୟୂରଭଞ୍ଜକୁ ଏକ ଅଲଗା ରାଜ୍ୟ କରିବାକୁ ଦାବି ଜୋରଦାର କରାଯାଉଛି।" ଏହି ଦାବି ସହିତ ସେମାନେ ପଦଯାତ୍ରା କରି ଦିଲ୍ଲୀରେ ପହଞ୍ଚି ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବେ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ