ରାଇରଙ୍ଗପୁର: ଦୁର୍ନୀତି ମାମଲାରେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ କିରାଣୀଙ୍କୁ ୫ ବର୍ଷ ଜେଲ୍ ହୋଇଛି । ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ମାମଲାରେ ଲାଞ୍ଚୁଆ କିରାଣୀଙ୍କୁ ଜେଲ୍ ପଠାଇଛନ୍ତି ଭିଜିଲାନ୍ସ କୋର୍ଟ ।ଗତକାଲି(ମଙ୍ଗଳବାର) ମୟୂରଭଞ୍ଜ ଜିଲ୍ଲାର ସ୍ଵତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟରେ ଏହି ରାୟ ପ୍ରକାଶ ପାଇଛି । ବିଚାରପତି ଡ଼ଃ ପ୍ରସନ୍ନ କୁମାର ପଣ୍ଡା ଉକ୍ତ ମାମଲାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ କାରାଦଣ୍ଡ ଆଦେଶ ଦେଇଛନ୍ତି । ଏହାସହିତ ୩୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇ ଯାଇଥିବା ବେଳେ ଏହା ଅନାଦେୟ ହେଲେ ୩ ମାସ ଅଧିକ କାରାଦଣ୍ଡ ଭୋଗିବାକୁ ପଡିବ ।
କୋର୍ଟ ଉକ୍ତ ମାମଲାର ବିଚାର କରି ସମସ୍ତ ସାକ୍ଷୀଙ୍କ ବୟାନ, ତଥ୍ୟ ଓ ପ୍ରମାଣକୁ ଭିତ୍ତି କରି ଏହି ରାୟ ଶୁଣାଇଛନ୍ତି । ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟର ସରକାରୀ ଓକିଲ ଶାନ୍ତନୁ କୁମାର ଦାସ ଏହି ମାମଲା ପରିଚାଳନା କରୁଥିଲେ । ଅଭିଯୁକ୍ତ ଆସାମୀ ଜଣକ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ପଥରଖମ୍ବ ଗ୍ରାମର ବିଶେଶ୍ବର ଗିରି । ରାୟ ପ୍ରକାଶ ପାଇବା ପରେ ତାଙ୍କୁ ବାରିପଦା ମଣ୍ଡଳ କାରାଗାର ପଠାଇ ଦିଆଯାଇଛି ।
ବିଶେଶ୍ୱର ଗିରି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବରିଷ୍ଠ କିରାଣୀ ଭାବେ ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି । ସେ ୨୦୦୮-୦୯ ମସିହାରେ ବିଶୋଇ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ କନିଷ୍ଠ କିରାଣୀ ଭାବେ କାର୍ଯ୍ୟ କରୁଥିଲେ । ସେହି ସମୟରେ ସେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି କରିଥିବାର ଅଭିଯୋଗ ହୋଇଥିଲା । ବିଶୋଇ ବ୍ଲକରେ ଅଙ୍ଗନବାଡି, ବିଦ୍ୟାଳୟଗୁଡିକର ରୋଷେଇ ଘର, ପାଚେରୀ, ସମ୍ମିଳନୀ କକ୍ଷ ଆଦି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ସିମେଣ୍ଟ ଓ ରଡ଼ ଇସ୍ୟୁ କରି ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି କରିଥିଲେ ।
ବିଡ଼ିଓଙ୍କ ଅଗୋଚରରେ ୨୦୦୮-୦୯ ମସିହାରେ ସିମେଣ୍ଟ ୪ଲକ୍ଷ ୧୯ହଜାର ଓ ଲୁହା ରୋଡ଼ରେ ୧ଲକ୍ଷ ୯୦ହଜାର ଟଙ୍କାର ଦୁର୍ନୀତି କରିଥିଲେ । ଏନେଇ ଏକ କମିଟି ଗଠନ କରାଯାଇ ତଦନ୍ତ କରାଯାଇଥିଲା । କିରାଣୀ ବିଶେଶ୍ବର ଗିରି ଓ କନିଷ୍ଠ ଯନ୍ତ୍ରୀ ମହେନ୍ଦ୍ର ବେହେରାଙ୍କ ନାଁରେ ବାଲେଶ୍ଵର ଭିଜିଲାନ୍ସ କୋର୍ଟରେ ୩୧ ଅଗଷ୍ଟ ୨୦୧୨ରେ ଏକ ମାମଲା ରୁଜୁ ହୋଇଥିଲା । ଗତକାଲି ଏହି ମାମଲାର ରାୟ ପ୍ରକାଶ ପାଇଛି ।
ଇଟିଭି ଭାରତ, ରାଇରଙ୍ଗପୁର