ବାରିପଦା: କୋଭିଡ-୧୯ ଆଇନ ଉଲ୍ଲଂଘନ କରିବା ଅଭିଯୋଗରେ ବାରିପଦା ସହରରେ ୧୯ଟି ଦୋକାନକୁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ନୋଟିସ ଅନୁଯାୟୀ, ବ୍ୟବସାୟୀମାନେ ସାମାଜିକ ଦୂରତା ନିୟମକୁ ପାଳନ କରୁ ନଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ସହରର ୧୯ଟି ଦୋକାନକୁ 3ଦିନ ପୂର୍ବରୁ କାରଣ ଦର୍ଶାଅ ନୋଟିସ ଦିଆଯାଇଥିଲା । ଏହା ସତ୍ତ୍ବେ ମଧ୍ୟ କୋଭିଡ-୧୯ ନିୟମକୁ ବାରମ୍ବାର ଉଲ୍ଲଂଘନ କରିଥିବାରୁ ବାରିପଦା ଟାଉନ ପୋଲିସ ସହାୟତାରେ ଦୋକାନକୁ ସିଲ କରିଛି ଜିଲ୍ଲା ପ୍ରଶାସନ ।
କୋରୋନା ମହାମାରୀ ଯୋଗୁଁ ଦେଶକୁ 2ମାସରୁ ଊର୍ଦ୍ଧ୍ବ ଲକଡାଉନ ରଖିବା ପରେ ଲକଡାଉନ 5.0ରେ ଭାରତ ସରକାର କୋରୋନା କଟକଣାକୁ କିଛିଟା କୋହଳ କରିଛନ୍ତି । ମାତ୍ର କୋରୋନା ଗାଇଡଲାଇନ ମାନିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ବ୍ୟବସାୟିକ ଅନୁଷ୍ଠାନ,ବଣିକ ସଂଘ, ଦୋକାନ, ପରିବା ହାଟ ଆଦି ଗୁଡ଼ିକରେ ସାମାଜିକ ଦୂରତ୍ବ ବଜାଇ ରଖିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଏହାକୁ ପାଳନ ନକଲେ ଦୋକାନ ସିଲ୍ କରାଯିବା ସହ ମାଲିକ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ନିର୍ଦ୍ଦେଶ ଅଛି ।
ତେବେ ସିଲ ସମୟରେ ବାରିପଦା ଉପଜିଲ୍ଲାପାଳ ବସନ୍ତ କୁମାର ସେଠୀ, ତହସିଲଦାର ରାମଚନ୍ଦ୍ର ସରେନ, ଥାନା ଅଧିକାରୀ ବିରେନ୍ଦ୍ର କୁମାର ସେନାପତି ଉପସ୍ଥିତ ଥିଲେ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ