ରାଇରଙ୍ଗପୁର: ରୋଷେୟା ବଦଳି ଦାବିରେ ୪ କିମି ଚାଲିଲେ ଛାତ୍ରଛାତ୍ରୀ । ମଧ୍ୟାହ୍ନ ଭୋଜନକୁ ନେଇ ସ୍କୁଲରେ ଉତ୍ତେଜନା । ପୁରୁଣା ରୋଷେୟାକୁ ବାହାର କରି ନୂଆ ରୋଷେୟା ନିଯୁକ୍ତି ଦାବି ସହ ସ୍କୁଲ ଛାତ୍ରଙ୍କୁ ପୁରୁଣା ରୋଷେୟାଙ୍କ ସ୍ବାମୀ ସ୍କୁଲ ପରିସରରେ ପିଟିବା ଘଟଣାକୁ ନେଇ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ଧାରଣା ପ୍ରଦର୍ଶନ କରିଛନ୍ତି ।
ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଧିନ ପୁରୁଣା ଘାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏହି ଅଭାବନୀୟ ଘଟଣା । କାର୍ଯ୍ୟରତ ରୋଷେୟାଙ୍କ ଦୁର୍ବ୍ୟବହାର ଓ କାର୍ଯ୍ୟରେ ଅବହେଳା ଅଭିଯୋଗ କରି ପୁରୁଣାଘାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ୪ କିମି ମୁଖ୍ୟ ରାସ୍ତାରେ ଟାଣ ଖରାରେ ଚାଲିଚାଲି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚିଛନ୍ତି ।
ସେଠାରେ ଧାରଣା ପ୍ରଦର୍ଶନ କରୁଥିବା ବେଳେ ରାଇରଙ୍ଗପୁର ଉପଜିଲ୍ଲାପାଳ ଉପସ୍ଥିତ ନଥିବାରୁ ଅତିରିକ୍ତ ଜିଲ୍ଲାପାଳ ଓ ରାଇରଙ୍ଗପୁର ଶିକ୍ଷା ଗୋଷ୍ଠୀ ଅଧିକାରୀ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ ବୁଝାସୁଝା କରିଥିଲେ। ବୁଝାସୁଝା କରିବା ସହ ଛାତ୍ରଛାତ୍ରୀଙ୍କ ସମସ୍ୟା ବିଷୟରେ ଜାଣିବାକୁ ପାଇଥିଲେ। ପରେ ରାଇରଙ୍ଗପୁର ଶିକ୍ଷା ଗୋଷ୍ଠୀ ଅଧିକାରୀ ବୁଝାସୁଝା କରିବାରୁ ସମସ୍ତେ ଘରକୁ ଫେରିଥିଲେ।
ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ ମଧ୍ୟାହ୍ନ ଭୋଜନ ପାଇଁ ସ୍କୁଲ ରୋଷେୟା ଯେଉଁ ରୋଷେଇ କରିଥାନ୍ତି ସେହି ଖାଦ୍ୟରେ କାଚ, ଗୋଡି, ଗୁଟକା ଜରି ଇତ୍ୟାଦି ବାହାରିଥାଏ । ତେଣୁ ଏ ବିଷୟରେ ବାରମ୍ବାର ଅଭିଯୋଗ କରି ମଧ୍ୟ କେହି କର୍ଣ୍ଣପାତ କରୁନଥିବାର ଅଭିଯୋଗ ହୋଇଛି । ଏହା ସହିତ ଜଣେ ଛାତ୍ରଙ୍କୁ ରୋଷେୟା ଗୀତା ସାହୁଙ୍କ ସ୍ବାମୀ ଏନେଇ ପିଟିଥିବାରୁ ରାଇରଙ୍ଗପୁର ଟାଉନ ଥାନାରେ ମଧ୍ୟ ଲିଖିତ ଅଭିଯୋଗ ହୋଇଛି।
ଉକ୍ତ ରୋଷେୟାଙ୍କ ସ୍ବାମୀ ଟୁକୁଲୁ ସାହୁକୁ ରାଇରଙ୍ଗପୁର ଟାଉନ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ