ବାରିପଦା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷଦିନ । ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ଅଧୀନ କେଉଟୁଣୀମାରୀ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବାଜୁନ ହାଁସଦା ନିଜ ନିର୍ବାଚନୀ ଚିହ୍ନ ଲଙ୍ଗଳକୁ କାନ୍ଧେଇ ଓଟ ପିଠିରେ ବସି ଗାଁକୁ ଗାଁ ବୁଲି ପ୍ରଚାର କରୁଛନ୍ତି ।
କୋରୋନା କଟକଣାକୁ ଦୃଷ୍ଟିରେ ରଖି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏକାଧିକ ଲୋକଙ୍କୁ ନେଇ ସଭାସମିତି ଓ ରାଲିକୁ ବାରଣ କରାଯାଇଛି । ଫଳରେ ପ୍ରାର୍ଥୀମାନେ ନିର୍ବାଚନୀ ପ୍ରଚାର ପାଇଁ ଅଭିନବ ଉପାୟ ଅବଲମ୍ବନ କରୁଛନ୍ତି । ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ପ୍ରାର୍ଥୀଙ୍କୁ ଓଟ ଉପରେ ଦେଖିବା ପାଇଁ ଭିଡ଼ ଜମାଉଛନ୍ତି । ୧୩ ୱାର୍ଡକୁ ନେଇ ଗଠିତ କେଉଟୁଣୀମାରୀ ପଞ୍ଚାୟତର ମୋଟ ଭୋଟରଙ୍କ ସଂଖ୍ୟା ୬ ହଜାର ୪୧୦ । ଏଥର ଏଠାରୁ ୧୬ଜଣ ସରପଞ୍ଚ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି ।
ଓଟ ପିଠିରେ ବସି ନିର୍ବାଚନୀ ପ୍ରଚାର କରୁଥିବା ସରପଞ୍ଚ ପ୍ରାର୍ଥୀ ହେଉଛନ୍ତି ବାଜୁନ ହାଁସଦାଃ । ଭୋଟରମାନେ ଉପଯୁକ୍ତ ପ୍ରାର୍ଥୀ ଖୋଜୁଥିବା ବେଳେ ଅଞ୍ଚଳର ଶିକ୍ଷା, ସ୍ବାସ୍ଥ୍ୟ ଓ ପାନୀୟ ଜଳକୁ ନେଇ ବିଭିନ୍ନ ଦାବି ଉପସ୍ଥାପନ କରୁଛନ୍ତି । ତେବେ ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରି ସମାଜସେବାରେ ଦୀର୍ଘ ୧୫ବର୍ଷ ଧରି ନିୟୋଜିତ ଥିବା ବାଜୁନଙ୍କୁ ଭୋଟରମାନେ ନିଶ୍ଚୟ ଚୟନ କରିବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ