ରାଇରଙ୍ଗପୁର: ପୁଣି ଜଣେ ବୃଦ୍ଧ କ୍ଵାକ୍ (ଦିଶାରୀ)ଙ୍କ ଦ୍ବାରା ଚିକିତ୍ସିତ ହୋଇ ଅସୁସ୍ଥ ହୋଇପଡିଛନ୍ତି । ଏପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଗୌଡିହାବାହାଳି ଗ୍ରାମରେ । ଗତ ଶନିବାର ମହୁଲଡିହା ଗ୍ରାମର ଶ୍ରୀକାନ୍ତ ମହାନ୍ତଙ୍କୁ କ୍ବାକ୍ ଜଣକ ପଶୁ ପାଇଁ ଉଦ୍ଦିଷ୍ଟ ଇଞ୍ଜେକ୍ସନ ଫୋଡି ଦେଇଥିଲେ । ଏ ଘଟଣାଟି ମନରୁ ନ ଲିଭୁଣୁ ଆଉ ଏକ ଘଟଣା ଏବେ ସାମ୍ନାକୁ ଆସିଛି ।
ସେହି ମହୁଲଡିହା ଗ୍ରାମପଞ୍ଚାୟତର ଗୌଡିହାବାହାଳି ଗ୍ରାମର ଦୈତାରୀ ମହାନ୍ତ ମଧ୍ୟ ସେହି କ୍ଵାକ୍ ଚିକିତ୍ସାର ଶିକାର ହୋଇଥିଲେ । ଶନିବାର ଦୈତାରୀଙ୍କୁ ଅଣ୍ଟାବ୍ୟଥା ପାଇଁ ସମାନ ଇଞ୍ଜେକ୍ସନ ଦିଆଯାଇଥିବା ଅଭିଯୋଗ ହୋଇଛି, ଯାହା ପୂର୍ବରୁ ଶ୍ରୀକାନ୍ତଙ୍କୁ ଦିଆଯାଇଥିଲା । ମହାନ୍ତଙ୍କୁ ଇଞ୍ଜେକ୍ସନ ଦେବାର କିଛି ଘଣ୍ଟା ପରେ ଜ୍ବର ଏବଂ ଝାଡା ହୋଇଥିଲା । ଦୁଇ ଦିନ ଧରି ଝାଡା, ଜ୍ବର ଏବଂ ଗୋଡ଼ହାତ ବିନ୍ଧିବା ସହିତ ମୁଣ୍ଡ ବୁଲାଇବାରୁ ଗତକାଲି(ସୋମବାର) ବିଳମ୍ବିତ ରାତିରେ ଠକୁରମୁଣ୍ଡା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ତାଙ୍କୁ ଚିକିତ୍ସା କରିବା ପରେ ଘରକୁ ପଠାଇ ଦେଇଛନ୍ତି ।
ମହୁଲଡିହା ଏବଂ ଆଖ ପାଖ ଅଞ୍ଚଳରେ କ୍ଵାକ୍ ଜଣକ ବହୁତ ଲୋକଙ୍କୁ ଏହି ସମାନ ଇଞ୍ଜେକ୍ସନ ଦେଇଥିବା ଅଭିଯୋଗ ହୋଇଛି । ସେହିପରି ଗତକାଲି ଶ୍ରୀକାନ୍ତ ମହାନ୍ତ ମହୁଲଡିହା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ନକଲି ଔଷଧ ଦେଇ ଠକିବା, ଚିକିତ୍ସାରେ ଅବହେଳା ଏବଂ ହତ୍ୟା ଉଦ୍ୟମ ପରି ସଙ୍ଗୀନ ଅଭିଯୋଗରେ କ୍ଵାକ୍ (ନକଲି ଡାକ୍ତର) ବିଶ୍ୱନାଥ ବେହେରାଙ୍କ ନାମରେ ମାମଲା ରୁଜୁ କରି ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରଖିଛି ।
ଅନ୍ୟପଟେ ଇଞ୍ଜେକ୍ସନ ଦେବାର କିଛି ଘଣ୍ଟା ପରେ ଗ୍ରାମବାସୀ ଉକ୍ତ କ୍ଵାକ ଜଣଙ୍କୁ ମହୁଲଡିହା ଥାନାର ଜିମା ଦେଇ ଥିବାବେଳେ ଥାନା ଅଧିକାରୀ ଏକ ଲିଖିତ ରାଜିନାମାରେ କିପରି ଛାଡିଲେ ତାହା ଏକ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି । ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସିବା ଏବଂ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଥାନା ଅଧିକାରୀ କାର୍ଯ୍ୟାନୁଷ୍ଠାନକୁ ନେଇ ପୋଲିସର ପାରିବା ପଣିଆ ଏବେ ପଦାରେ ପଡ଼ିଛି । ତେବେ ବର୍ତ୍ତମାନ ସୁଦ୍ଧା କ୍ଵାକ ବିଶ୍ବନାଥ ବେହେରଙ୍କୁ ପୋଲିସ ଧରି ପାରି ନ ଥିବାବେଳେ ଗୋଟିଏ ପରେ ଗୋଟିଏ କେସ ସାମ୍ନାକୁ ଆସୁଥିବାରୁ ଚିନ୍ତାରେ ମହୁଲଡିହା ପୋଲିସ ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ