ବାରିପଦା: ପଞ୍ଚାୟତ ଗୃହ ନିର୍ମାଣ ସ୍ଥାନକୁ ନେଇ ଗ୍ରାମବାସୀଙ୍କ ଭିତରେ ବିବାଦ । ବିବାଦ ସମାଧାନ ନ ହେବାରୁ ରାସ୍ତାରୋକ । ଶେଷରେ ଜିଲ୍ଲାପାଳଙ୍କ ଗାଡି ଉପରେ ଆକ୍ରମଣ କରାଯାଇଛି ।
ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା କୁଳିଆଣା ବ୍ଲକର ଭଗବାନପୁର ପଞ୍ଚାୟତର ପଞ୍ଚାୟତ ଗୃହ ନିର୍ମାଣ ଗ୍ରାମର ମଧ୍ୟ ସ୍ଥଳରେ ନ ହେଇ ଗ୍ରାମ ଠାରୁ ବହୁ ଦୂର ନୂଆଗାଁ ଠାରେ ନିର୍ମାଣ ଚାଲିଛି । ଗ୍ରାମବାସୀ ନିର୍ମାଣ ସ୍ଥଳରେ ପହଞ୍ଚି କାର୍ଯ୍ୟ ବନ୍ଦ କରିଥିଲେ। ଏହା ସହିତ ନିର୍ମାଣ ଚାଲିଥିବା ପଞ୍ଚାୟତ ଗୃହକୁ ମଧ୍ୟ ଭାଙ୍ଗି ଦେଇଥିଲେ । କୁଳିଅଣା ବିଡ଼ିଓଙ୍କୁ ଏ ବିଷୟରେ ଅବଗତ କରିଥିଲେ ମଧ୍ୟ ଘଟଣା ସ୍ଥଳକୁ କୈଣସି ଅଧିକାରୀ ନ ପହଞ୍ଚିବାରୁ ଉତ୍ୟକ୍ତ ମନହରପୁର ଗ୍ରାମବାସୀ ସୌରୀ ଛକ ନିକଟରେ ଜାତୀୟ ରାଜପଥକୁ ସମ୍ପୂର୍ଣ୍ଣ ଅବରୋଧ କରି ଦେଇଥିଲେ।
ଅନ୍ୟପଟେ ମୟୂରଭଞ୍ଜ ଜିଲ୍ଲାପାଳ ନିଜର ବ୍ୟକ୍ତିଗତ କାମପାଇଁ ଯାଉଥିବା ସମୟରେ ରାସ୍ତା ଅବରୋଧ ଖବର ପାଇ ଏକ ଗାଁ ରାସ୍ତା ଦେଇ ଯାଉଥିବାବେଳେ ବଡ ନୂଆଗାଁ ନିକଟରେ ଗ୍ରାମବାସୀ ଜିଲ୍ଲାପାଳକୁ ଅଟକାଇ ଥିଲେ । ଘଟଣାର ସମାଧାନ ପାଇଁ କହିଥିଲେ।
ତେବେ ଜିଲ୍ଲାପାଳ ଘଟଣା ସମ୍ପର୍କରେ ଅବଗତ ନ ଥିବାରୁ ସେ ଘଟଣାସ୍ଥଳରୁ ଚାଲିଯିବାକୁ ଚାହିଁବାରୁ ଉତ୍ୟକ୍ତ ଲୋକେ ଜିଲ୍ଲାପାଳଙ୍କ ଗାଡି ଉପରକୁ ଆକ୍ରମଣ କରିଥିଲେ । ତେବେ ସୌଭଗ୍ୟ ବସତଃ ଜିଲ୍ଲାପାଳଙ୍କ କୌଣସି କ୍ଷତି ହୋଇ ନ ଥିବାବେଳେ,ଜିଲ୍ଲାପାଳଙ୍କ ଗାଡିର କାଚ ଭାଙ୍ଗି ଚୁରମାର ହେଇଯାଇଥିଲା । ଘଟଣାସ୍ଥଳରେ ସଦର ଏସଡିପିଓ ପହଞ୍ଚି ଜିଲ୍ଲାପାଳଙ୍କୁ ଉଦ୍ଧାର କରିଥିଲେ । ତେବେ ଘଟଣାସ୍ଥଳରେ ଅତିରିକ୍ତ ଏସପି,ଏସଡିପିଓ,କୁଳିଆଣାଥାନା ଅଧିକାରୀ,ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ