ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବିଭାଜନକୁ ତୀବ୍ର ବିରୋଧ କରାଯାଇଛି । ଜିଲ୍ଲା ବିଭାଜନକୁ ବିରୋଧ କରି ଗର୍ଜିଲା ପେସା ଗ୍ରାମସଭା । ଏନେଇ ବିଶାଳ ରାଲି ସହିତ ୧୭ଦଫା ଦାବିରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାକୁ ଭାଗ ଭାଗ କରାଇ ନଦେବାକୁ ପଣ କରିଛି ପେସା ଗ୍ରାମସଭା ।
ପେସା ଗ୍ରାମସଭା ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ବିଭାଜନ ବିରୋଧରେ ଏକ ବିଶାଳ ରାଲି କରାଯାଇଛି । ୧୭ ଦଫା ଦାବିରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାର ରାଇରଙ୍ଗପୁର ଠାରେ ପେସା ଗ୍ରାମସଭା ସମନ୍ବୟ ସମିତି ପକ୍ଷରୁ ଏକ ବିଶାଳ ରାଲିରେ ସହର ପରିକ୍ରମା ହୋଇଥିଲା । ରାଇରଙ୍ଗପୁର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାଇରଙ୍ଗପୁରକୁ ଜିଲ୍ଲା ଦାବି ହୋଇ ଆସୁଥିଲାବେଳେ ପେସା ଗ୍ରାମସଭା ସମନ୍ବୟ ସମିତି ଏହାକୁ ବିରୋଧ କରିଆସୁଛି । ଏହାସହିତ ମୟୂରଭଞ୍ଜ ଜିଲ୍ଲାକୁ ଅଲଗା ଅଲଗା ହେବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ମଧ୍ୟ ଦେଇଥିଲା । ଜିଲ୍ଲାର ଅଗ୍ରଣୀ ସଂଗଠନ ମୟୂରଭଞ୍ଜ ଜିଲ୍ଲା ପେସା ଗ୍ରାମସଭା ସମନ୍ବୟ ସମିତି ପକ୍ଷରୁ ଜିଲ୍ଲା ସଭାପତି ତଥା ରାଜ୍ୟ ସଂପାଦକ ପାଣ୍ଡୁରାମ ହେମ୍ବ୍ରମଙ୍କ ନେତୃତ୍ବରେ ଏକ ବିଶାଳ ଶୋଭାଯାତ୍ରା କରାଯାଇଥିଲା ।
ବହଳଦା, ରାଇରରଙ୍ଗପୁର, ବିଜାତଳା, ଚଢେଇପାହାଡି, କରଞ୍ଜିଆ, ଠାକୁରମୁଣ୍ଡା, ବେତନୋଟି, ଉଦଳା, କପ୍ତିପଦା, ସାରସକଣା, ମୋରଡା ଏବଂ ଜାମଦା ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ପେସା ଗ୍ରାମସଭା ସଦସ୍ୟ ତଥା ସମର୍ଥକ ପହଞ୍ଚିଥିଲେ । ପାରମ୍ପାରିକ ବାଦ୍ୟ ଧୁମସା, ନାଗରା ବଜାଇ ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ସ୍ଳୋଗାନ ଦେଇ ସହର ପରିକ୍ରମା କରିଥିଲେ । ଏହାପରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ୧୭ ଦଫା ଦାବିରେ ଦାବିପତ୍ର ପ୍ରଦାନ କରିଥିଲେ । ଦାବିପତ୍ରରେ ପ୍ରମୁଖ ଦାବିଗୁଡିକ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାକୁ ବିଭାଜନ କରାଯାଇ ଅନ୍ୟାନ୍ୟ ଜିଲ୍ଲା ଗଠନ ଦାବିର ପ୍ରତିବାଦ, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପେସା ଆଇନ୍ ଉଲ୍ଲଂଘନ କରାଯାଇ ଜମି ଅଧିଗ୍ରହଣ କରାଯିବା, ପଞ୍ଚମ ଅନୁସୂଚୀତ ଅଞ୍ଚଳରେ ପେସା ଆଇନ ବଳବତ୍ତୋର ଭାବେ ଲାଗୁ କରିବା ଇତ୍ୟାଦି ପ୍ରମୁଖ ଦାବି ରହିଛି ।
ଏହା ବି ପଢନ୍ତୁ...ହଜିଯାଉଥିବା କଳାକୁ ବଞ୍ଚାଇ ପରିଖିବାକୁ ପ୍ରୟାସ, ମହିଳାଙ୍କୁ ମିଳିଲା ଶିଳ୍ପୀ ବଜାର ସୁବିଧା
ଏହି ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲା ପେସା ଗ୍ରାମସଭା କୋଅର୍ଡିନେସନ କମିଟି (ସମନ୍ବୟ ସମିତି) ସଭାପତି ପାଣ୍ଡୁରାମ ହେମ୍ବ୍ରମଙ୍କ ସହିତ ସମ୍ପାଦକ ନନାରାମ ମୁର୍ମୁ, ଯୁବ ସଭାପତି ଦୁଲାରାମ ମୁର୍ମୁ, ବହଳଦା ବ୍ଲକ ସଂଯୋଜକ ବସନ୍ତ ସାଣ୍ଡିଲ, ଜିଲ୍ଲା କୋଷାଧ୍ୟକ୍ଷ କାର୍ମିମଣୀ କିସ୍କୁ, ଫୁର୍ଲାଇ କିସ୍କୁ, ବୀରସୁନ୍ଦର ମାର୍ଣ୍ଡି, ମଧୁ ମୁର୍ମୁ, ମାଝିଆ ସୋରେନ୍, ରଘୁନାଥ ମୁର୍ମୁ ଏବଂ ମୟୁରଭଞ୍ଜ ଜିଲ୍ଲାର ପ୍ରତ୍ୟେକ ଗ୍ରାମସଭାର ସଭାପତି, ସମ୍ପାଦକଙ୍କ ସହିତ ସମର୍ଥକ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ରାଇରଙ୍ଗପୁର