ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବଜାର ଡେଲି ମାର୍କେଟରେ ଅସମ୍ଭାଳ ଭିଡ଼ ହେଉଥିବା ଦେଖିବାକୁ ମିଳୁଛି । ଏଠାରେ ଉଭୟ ଗ୍ରାହକ ଓ ଦୋକାନୀ କୋରୋନା କଟକଣାକୁ ବେଖାତିର କରି ବିନା ମାସ୍କ ଓ ସାମାଜିକ ଦୂରତାରେ ପରିବା କିଣା ବିକା କରୁଥିବା ନଜରକୁ ଆସିଛି ।
ପରିବା ମାର୍କେଟର ଚିତ୍ର ଦେଖିଲେ ଲାଗୁଛି ଏ ଜଗତରେ କୋରୋନା ମହାମାରୀ ନାମକ କୌଣସି ଜିନିଷ ନାହିଁ, ଲୋକେ ନିର୍ଭୟରେ ସାମାନ୍ୟ ଦିନ ପରି ଭିଡ ଭିତରେ ଠେଲାପେଲା ହୋଇ ପରିବା କିଣି ନେଉଛନ୍ତି । ତେବେ କେହି ଜଣେ ବ୍ୟକ୍ତି ଯଦି କୋରୋନା ସଂକ୍ରମଣର ଭୟାବହତା ବିଷୟରେ ସଚେତନ ଅଛି ସେ ଏ ପରିବା ମାର୍କେଟର ଦୃଶ୍ୟ ଦେଖି ସହଜରେ କହିପାରିବ । ଏଠାରେ ଲୋକେ କୋରୋନାକୁ ଖୋଲା ନିମନ୍ତ୍ରଣ ଦେଉଛନ୍ତି ।
ତେବେ ଅନ୍ୟାନ୍ୟ ଅଞ୍ଚଳରେ ସରକାରଙ୍କ କୋଭିଡ୍ କଟକଣା ନିର୍ଦ୍ଦେଶାବଳୀକୁ ଦୃଷ୍ଟିରେ ରଖି ଉପଖଣ୍ଡ ପ୍ରଶାସନ ତଥା ଆଞ୍ଚଳିକ ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରୁଥିବା ବେଳେ ଏଠାରେ ତାହାର ବ୍ୟକ୍ତିକ୍ରମ ଦେଖିବାକୁ ମିଳିଛି । ତେବେ ଏହି ପରିବା ମାର୍କେଟ କୋରୋନା ସଂକ୍ରମଣର ସୁପର ସ୍ପ୍ରେଡ଼ର ଭାବେ ବିପଦ ସୃଷ୍ଟି କରିବା ପୂର୍ବରୁ ଉପଖଣ୍ଡ ପ୍ରଶାସନ ଓ ପୌର ପାଳିକା ପ୍ରଶାସନ ନିଦରୁ ଚେଇଁ ଉଠି ସକ୍ରିୟ ହେବା ସହିତ ପରିବା ମାର୍କେଟକୁ ଫାଙ୍କା ଜାଗାକୁ ସ୍ଥାନାନ୍ତର କରାଯିବାକୁ ନେଇ ସଧାରଣରେ ଦାବି ହେଉଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ