ବାରିପଦା: ବିଜେପି ରାଷ୍ଟ୍ରୀୟ ସମ୍ପାଦକ ତଥା ମୟୂରଭଞ୍ଜ ଏମପି ଇଞ୍ଜିନିୟର ବିଶେଶ୍ବର ଟୁଡୁଙ୍କ ପିତାଙ୍କ ଶୁକ୍ରବାର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ସେ ଦୀର୍ଘ ଦିନ ଧରି କଟକ ସ୍ଥିତ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିଲେ । ହେଲେ ଗୁରୁବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ତାଙ୍କ ମୃତ୍ୟୁକୁ ନେଇ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।
ଶୁକ୍ରବାର ସକାଳେ ମୋରଡା ବ୍ଲକ ସାନ ମୁଣ୍ଢାବଣି ଗାଁରେ ଥିବା ତାଙ୍କର ବାସଭବନକୁ ମର ଶରୀରକୁ ଅଣାଯାଇଥିଲା । ଏହାପରେ ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନରେ ସାରସକଣା ବିଧାୟକ ବୁଢାନ ମୁର୍ମୁ, ବାରିପଦା ବିଧାୟକ ପ୍ରକାଶ ସରେନ, ମୟୂରଭଞ୍ଜ ମହାରାଜା ତଥା ପୂର୍ବତନ ମୋରଡା ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମୋରଡା ନିର୍ବାଚନ ମଣ୍ଡଳୀର ବିଜେପି ଆଶାୟୀ ପ୍ରାଥି ଛୋଟଲାଲ ମହାନ୍ତ ପ୍ରମୁଖ ଯୋଗଦେଇ ସୁକୁଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ଗାଁ ନିକଟ ଶ୍ମଶାନରେ ସୁକୁଲ ଟୁଡୁଙ୍କ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହୋଇଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ