ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାକୁ ପୁଣି ଲଜ୍ଜା। ଜଣେ ୧୬ ବର୍ଷୀୟା ଜନୈକା ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ନେଇ ହୋଇଛି ଅଭିଯୋଗ। ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅଧିନରେ ଥିବା ସିଜୁକଳା ଗ୍ରାମ ନିକଟସ୍ଥ ଚମ୍ପ୍ରେଇ ତିଲକା କ୍ଲବ ଘରେ ଦୁଷ୍କର୍ମର ଶିକାର ହୋଇଛି ନାବାଳିକା। ଏ ଘଟଣାରେ ଅଭିଯୁକ୍ତ ପୁଙ୍ଗା ସୋରେନକୁ ପୋଲିସ ଅଟକ ରଖି ପଚରାଉଚରା ଆରମ୍ଭ କରିଛି।
ପୀଡିତାର ମାଆଙ୍କ ଲିଖିତ ଅଭିଯୋଗ କ୍ରମେ, ତାଙ୍କ ଝିଅ ଗତ 4 ତାରିଖ ବୁଧବାର ଅପରାହ୍ନରେ କୌଣସି କାମରେ ରାଇରଙ୍ଗପୁର ବଜାରକୁ ଯାଇଥିଲେ। ତେବେ ଘରକୁ ଫେରିବା ସମୟରେ ବର୍ଷା ହେଉଥିବାରୁ ସେ ରାଇରଙ୍ଗପୁର ଗଢ ଛକରେ ଛିଡା ହୋଇ ବସକୁ ଅପେକ୍ଷା କରିଥିଲା ।
ସେ ସମୟରେ ପୁଙ୍ଗା ସୋରେନ ଏକ ସାଇକେଲ ଯୋଗେଁ ସେହି ବାଟ ଦେଇ ଯାଉଥିବା ବେଳେ ଉକ୍ତ ନାବାଳିକାକୁ ଘରେ ଛାଡିଦେବେ ବୋଲି କହିଥିଲେ । ତେବେ ରାସ୍ତାରେ ଆସିବା ବେଳେ ଏକ କ୍ଲବ ଗୃହରେ ନାବାଳିକାର ହାତ ଗୋଡ ବାନ୍ଧି ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା ପୁଙ୍ଗା ।
ନାବାଳିକାକୁ ଚେଚାଶୂନ୍ୟ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ପରେ ନାବାଳିକା ଜଣକ ପରିବାର ସମ୍ମୁଖରେ ସବୁ କଥା କହିଥିଲା । ଗତ 7 ତାରିଖ ରବିବାର ରାତିରେ ପୀଡିତାର ମାଆ ଏନେଇ ରାଇରଙ୍ଗପୁର ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ରାଇରଙ୍ଗପୁର ଟାଉନ ପୋଲିସ ପୋସ୍କୋ ଆଇନ ଅନୁଯାୟୀ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ